ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଚାଷୀ ଓ ଚାଷ ସରକାରଙ୍କ ଦ୍ୱାରା ଅବହେଳିତ ହୋଇରହିଛି । ସରକାର ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ସ୍ଥଳବିଶେଷରେ କାର୍ଯ୍ୟକାରୀ ହେଉନାହିଁ, ଆଜି କିଷାନ କଂଗ୍ରେସ ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି ।

Advertisment

ଆଜି ପୂର୍ବାହ୍ଣରେ ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ଟାସ୍କଫୋର୍ସ କମିଟି ବୈଠକରେ ଜିଲ୍ଲାର କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକ ସମ୍ପର୍କରେ ଜିଲ୍ଲା କିଷାନ କଂଗ୍ରେସର ଉପସଭାପତି ବିଶ୍ୱଜିତ ମିଶ୍ର କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଚାଷ ଜମି ବର୍ଷା ଜଳ ଉପରେ ନିର୍ଭରଶୀଳ । ଜିଲ୍ଲାରେ ଜଳସେଚନ, କ୍ଷୁଦ୍ର ଜଳଚେସନ ଓ ଉଠାଜଳସେଚନ ବିଭାଗ ସ୍ଥାଣୁ ପାଲଟିଯାଇଛି । କୌଣସି ଜଳସେଚନ ପ୍ରକଳ୍ପର ସଂପୂର୍ଣ୍ଣ ଲାଭ କୃଷକ ପାଇପାରୁନାହାନ୍ତି । ଜିଲ୍ଲାର ମୁଖ୍ୟ ଫସଲ ଧାନ ଓ ରବି ଋତୁରେ ଚାଷୀ ବର୍ଷକ ପାଇଁ ନିଜର ଆୟ ଯୋଗାଡ଼ କରିଥାଏ ।

ଏଭଳି ସ୍ଥିତିରେ ଧାନମଣ୍ଡିରେ ଚାଷୀ ନିଜ ଧାନର ଉଚିତ ମୂଲ୍ୟ ପାଇପାରୁନାହିଁ । ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ଆଗ୍ରହ ରହିଥିଲେ ମଧ୍ୟ ସେମାନଙ୍କ ନିକଟରେ ଆଧୁନିକ ବୈଷୟିକ ଯନ୍ତ୍ରପାତି କିମ୍ବା ଏହାର ଜ୍ଞାନ କୌଶଳ ପହଂଚିପାରୁନାହିଁ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସର ଜିଲ୍ଲା ସଭାପତି ମନୋଜ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖଙ୍କ ସହ ବିିଭିନ୍ନ ଅଂଚଳର ଚାଷୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।