ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଠିକ୍ ସ୍ୱାସ୍ଥ୍ୟ ସେବା ମିଳୁ ନଥିବା, ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ରୋଗୀମାନେ ଅନେକ ହଇରାଣ ହେଉଥିବା ନେଇ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗକୁ ଭିତ୍ତି କରି ମାର୍ଚ୍ଚ ୨୫ ତାରିଖରେ କମିଶନଙ୍କ ସମ୍ମୁଖରେ ହାଜର ହୋଇ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିସନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

Advertisment

ବାଘମାରୀ ପୋଡାଡିହର ସାମାଜିକକର୍ମୀ ବିଭୂତି ଭୂଷଣ ଦାଶ କହିଛନ୍ତି ଯେ ଗତବର୍ଷ ନଭେମ୍ବର ମାସରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ ବିଚାର କରି ରାଜ୍ୟ ମାନବାଧିକାର କମିଶନ ଜାନୁଆରି ୧୨ ତାରିଖରେ ଏନେଇ ନିର୍ଦେଶ ଦେବା ସହ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଏନେଇ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ସେ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୯ଟାରୁ ଅପରାହ୍ଣ ୬ଟା ଯାଏଁ ବହିଃ ଚିକିତ୍ସା ବିଭାଗ ଖୋଲା ରହିବା ନିୟମ ରହିଥିବା ବେଳେ ଚିକିତ୍ସାଳୟ ଦିନ ୧୧ଟାରୁ ବନ୍ଦ କରିଦିଆଯାଉଛି । କେବଳ ଏହାନୁହେଁ ଅସ୍ତ୍ରୋପଚାର ଗୃହକୁ ସଫା କରିବା ଆଳରେ ଶନିବାର ୫ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରଖାଯାଉଛି ।

କୌଣସି ପ୍ରସୂତି ମହିଳା ଆସିଲେ ବିନା ଲାଞ୍ଚରେ ଡାକ୍ତର ସେବା ଦେଉ ନାହାନ୍ତି । ଯେଉଁମାନେ ଦେଇ ନପାରିବେ ସେମାନଙ୍କୁ କଟକ କିମ୍ବା ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଉଛି । ନିରାମୟ ଯୋଜନାରେ ୫୦୦ ପ୍ରକାର ଔଷଧ ଯୋଗାଇ ଦେବାକୁ ନିର୍ଦେଶ ରହିଛି । ଏନେଇ ଚିକିତ୍ସାଳୟକୁ ଔଷଧ ଆସୁଛି କିନ୍ତୁ ଲୋକଙ୍କୁ ଔଷଧ ପ୍ରଦାନ କରାଯାଉନାହିଁ । ଚିକିତ୍ସାଳୟର ଭିତର ଓ ବାହାର ପରିମଳ ବ୍ୟବସ୍ଥା ସଠିକ ଭାବେ ପରିଚାଳିତ ହେଉନାହିଁ ବୋଲି ଶ୍ରୀ ଦାଶ ଦର୍ଶାଇଛନ୍ତି । ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦେଶ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି କହିଛନ୍ତି ଯେ ଏନେଇ ନିର୍ଦେଶ ତାଙ୍କ ନିକଟରେ ପହଞ୍ଚିଛି । ମାର୍ଚ୍ଚ ୨୫ ତାରିଖରେ ଜିଲ୍ଲା ମେଡିକାଲ୍ ଅଧିକାରୀ ଏନେଇ ରିପୋର୍ଟ ଦାଖଲ କରିବେ ।