ଖୋର୍ଦ୍ଧା, ୪।୧୨ (ଇମିସ): ଆଜି ଖୋର୍ଦ୍ଧା ସହରସ୍ଥ ହାବେଳୀ ପଡ଼ିଆ ଠାରେ ୫ ଦିନିଆ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ସୋମବାର ସଂଧ୍ୟାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ ମେଳାର ଉଦ୍ଘାଟନ କରିଥିଲେ। ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ଉପସଭାପତି ଗୋପିନାଥ ମହାରଣା ଯୋଗ ଦେଇଥିଲେ। ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ପରିଡ଼ା ସ୍ବାଗତ ଭାଷଣ ଦେବା ସହ ମେଳାର ଆଭିମୁଖ୍ୟ ଓ ଜିଲ୍ଲାରେ କୃଷି ବିଭାଗର କାର୍ଯ୍ୟକ୍ରମ, କୃଷକ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିବା ରିହାତି ଋଣ ଆଦି ସମ୍ପର୍କରେ ତଥ୍ୟ ରଖିଥିଲେ। ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶ୍ରୀ ସ୍ବାଇଁ ନିଜ ବକ୍ତବ୍ୟରେ ରାଜ୍ୟରେ ସବୁ ଜିଲ୍ଲାରେ ଏଭଳି କୃଷିଯନ୍ତ୍ରପାତି ମେଳା ଦ୍ବାରା କୃଷକମାନେ କିଭଳି ନୂତନ ବୈଷୟିକ କୌଶଳ ସମ୍ପର୍କରେ ଜାଣିପାରିଛନ୍ତି। ଏହାକୁ ବ୍ୟବହାର କରି କିଭଳି କୃଷି ଉତ୍ପାଦନ ଓ ନିଜର ଆୟ ବୃଦ୍ଧି କରିଛନ୍ତି ସେନେଇ କହିଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଓ ବିକ୍ରି ସହ ଦୈନିକ ୨ଟି ବ୍ଲକର ୫୦ଜଣ ବଛାବଛା କୃଷକଙ୍କୁ ନେଇ କୃଷି ପାଠଶାଳା ମଧ୍ୟ ଆୟୋଜନ କରାଯାଉଛି। ଏଥିରେ ଚାଷୀଙ୍କୁ କୃଷି ଯନ୍ତ୍ରପାତିର ରିହାତି ବ୍ୟବସ୍ଥା, ବିଭିନ୍ନ ଯୋଜନା, ମାଣ୍ଡିଆ, ବାଜରା ଆଦି ମିଲେଟ୍ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି।