ଖୋର୍ଦ୍ଧା: ଆଜି ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ପ୍ରସଙ୍ଗ "ଆମର ପିଢ଼ି, ଡିଜିଟାଲ୍ ପିଢ଼ି' ରଖାଯାଇଥିବା ବେଳେ ଆଧୁନିକ ଯୁଗରେ ଶିଶୁ କନ୍ୟାଙ୍କ ଅଧିକାର, ସେମାନଙ୍କ ସୁରକ୍ଷା ଆଦି ସମ୍ପର୍କରେ ସଚେତନତା ପାଇଁ ଡିଜିଟାଲ୍ ମାଧ୍ୟମକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସେ ନିଜର ଅଭିଭାଷଣରେ କହିଥିଲେ ଯେ ଝିଅମାନଙ୍କ ଉନ୍ନତି ଏବଂ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରାଶାସନିକ ଓ ସାମାଜିକ ସ୍ତରରେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ । ବାଲ୍ୟ ଭିକ୍ଷାବୃତ୍ତି, ବାଲ୍ୟ ବିବାହ, ଶିଶୁ କନ୍ୟାଙ୍କ ଆନୁପାତିକ ହାରରେ ବୃଦ୍ଧି ଆଦି ନେଇ ଚଳିତ ବର୍ଷ ଅଧିକ କାର୍ଯ୍ୟ କରାଯିବ । ଏଥିପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Advertisment

ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିଶୁ କନ୍ୟାଙ୍କ ଅଧିକାର ଓ ସୁରକ୍ଷା ପାଇଁ ଗ୍ରାମାଂଚଳରେ ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଯୋଗଦାନ ଅଧିକ । ସେମାନେ ଏଦିଗରେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶିଶୁ କନ୍ୟା ଓ ବାଳିକାଙ୍କ ସକାଶେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଶିଶୁକନ୍ୟାଙ୍କ ସୁରକ୍ଷା ଓ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ କିଶୋରୀ ବାଳିକା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀ, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ମିଶନଶକ୍ତି ସଂଯୋଜିକା, ଅଙ୍ଗନବାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ ।