ସୋନପୁର: ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରବିବାର ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପାଣିସମ୍ପଦ ମେଳା ଉଦ୍‌ଘାଟିତ ହୋଇଛି। ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା ମୁଖ୍ୟ ଅତିଥି, ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସ୍‌ପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସିଡିଭିଓ ଡା. ରତ୍ନାକର ରାଉତ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ, କୃଷିବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ତ୍ରିନାଥ ଖଣ୍ଡାୟତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଛଚାଷ ଓ ପ୍ରାଣୀ ପାଳନ ଦ୍ବାରା ଚାଷୀମାନେ ସମୃଦ୍ଧ ହୋଇପାରିବେ ବୋଲି କହିଥିଲେ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟ ଓ ପାଣୀ ସମ୍ପଦ ବିକାଶରେ ସଫଳ ଚାଷୀ ଡୁଙ୍ଗୁରିପାଲି ବ୍ଲକ୍‌ ସାନଭାଳୁପାଲିସ୍ଥିତ ମା’ ପୋଲଟ୍ରି ଫାର୍ମର ପରିଚାଳନା ନିର୍ଦେଶକ ଉମେଶ ପୂଜାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ତରଭା ବ୍ଲକ୍‌ର ଗୀତାଞ୍ଜଳି ରଣାଙ୍କୁ ମାଛ ବିହନ ଉତ୍ପାଦନ ପାଇଁ, ଉଲୁଣ୍ଡାର ମା’ ମେଟାକାନି ଏସ୍‌ଏଚ୍‌ଜିକୁ ଗ୍ରାମ ପୋଖରୀରେ ମାଛଚାଷରେ ସଫଳତା ପାଇଁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଏଡିଭିଓ ଡା. କମଳଲୋଚନ ଦାଶ, ଏସ୍‌ଡିଭିଓ ଡା. ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପନିର୍ଦେଶକ ଡା. ସୁନାକର ସାମଲ, ଏଡିଭିଓ ଡା. ସୁଧୀର ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ। ଭୀମଭୋଇ କଳା ପରିଷଦର କଳାକାରମାନେ ଆବାହନୀ ସଙ୍ଗୀତ ଗାନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଦ୍ୱାରା ଆୟୋଜିତ ଲୋକନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।