ରବି ଚାଷ ପାଇଁ ଜିଲ୍ଲାସ୍ତରୀୟ ବୈଠକ, ୬୮ହଜାର ହେକ୍ଟରରେ ବିଭିନ୍ନ ଫସଲ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ

ନୂଆପଡ଼ା: ନୂଆପଡ଼ା କୃଷି ବିଭାଗ ପକ୍ଷରୁ ସୋମବାର ୨୦୨୦-୨୧ ବର୍ଷ ରବି ଚାଷ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଚଳିତ ବର୍ଷ ରବିରେ ୬୮ ହଜାର ୧୦ ହେକ୍ଟରରେ ବିଭିନ୍ନ ଫସଲ ଚାଷ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟଧାର୍ଯ୍ୟ କରିଛି। ନୂଆପଡ଼ା ଜିଲ୍ଲାପାଳଙ୍କ ସଭାଗୃହଠାରେ ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଜିଲ୍ଲା ମୁଖ୍ୟ କୃ‌ଷି ଅଧିକାରୀ ବାବାଜୀ ଚରଣ ବେହେରା ପରିଚାଳନା କରିଥିଲେ।

ଚଳିତ ରବିରେ ଜିଲ୍ଲାରେ ଧାନ ଓ ଶସ୍ୟ ଜାତୀୟ ସଫଲ ୧୧ ହଜାର ୪୦୦ ହେକ୍ଟର, ଡାଲିଜାତୀୟ ୩୩ ହଜାର ୨୦୦ ହେକ୍ଟର, ତୈଳବୀଜ ୭ ହଜାର ୭୦୦ ହେକ୍ଟର, ପନିପରିବା ୧୨ହଜାର ୯୧୦ ହେକ୍ଟର, ମସଲାଜାତୀୟ ୨ ହଜାର ୯୦୦ ହେକ୍ଟର, ଆଖୁ ଫସଲ ୧୦୦ ହେକ୍ଟର ଏପରି ମୋଟ ଜିଲ୍ଲାରେ ୬୮ ହଜାର ୧୦ ହେକ୍ଟର ଚାଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟଧାର୍ଯ୍ୟ କରିଛି। ଜିଲ୍ଲାରେ ରବି ପାଇଁ ମୋଟ ଜମିର ୧୯.୮୦ ପ୍ରତିଶତ ଭାଗ ଜଳସେଚନର ସୁବିଧା ରହିଛି। ଜିଲ୍ଲାପାଳ ଜଳ ଉତ୍ସର ସଦୁପଯୋଗ କରି ଅଣଧାନ ଫସଲ ମାଣ୍ଡିଆ, ଡାଲିଜାତୀୟ, ତୈଳବୀଜ, ପିଆଜ, ଆଳୁ, ଚାଷ ବହୁଳ ଭାବେ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅଣଧାନ ଚାଷ ପାଇଁ ଚାଷୀଙ୍କୁ ସଚେତନ କରିବାକୁ ନିର୍ଦେଶ ଦେଇଥିଲେ।

କୃଷି ଋଣ କିପରି ସହଜରେ ଚାଷୀମାନେ ପାଇପାରିବେ ଏହା ଉପରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ଆତ୍ମ ପ୍ରକଳ୍ପ ଉପନିର୍ଦେଶକ ସୁଧାଂଶୁ ଶେଖର ସାହୁ, ନୂଆପଡ଼ା ବ୍ଲକ୍‌ କୃଷି ଅଧିକାରୀ ହିମାଂଶୁ ମହାପାତ୍ର, ଜଳଛାୟା ମିସନ ପ୍ରକଳ୍ପ ନିର୍ଦେଶକ ଗିରିଜା ଶଙ୍କର ମହାପାତ୍ର, କେବିକେ ସଂଯୋଜିକା ଡ. ସ୍ବାଗତିକା ଶ୍ରୀଚନ୍ଦନ, ଜିଲ୍ଲା ଯୋଜନା ଅଧିକାରୀ ସୋମନାଥ କାଣ୍ଡିୟାମ, ଉଦ୍ୟାନ କୃଷି ଅତିରିକ୍ତ ନିର୍ଦେଶକ ମହେନ୍ଦ୍ର ମାଝୀ, ଜିଲ୍ଲା କୃଷି ଅଧିକାରୀ ନରୋତ୍ତମ ବେହେରା, ସହକାରୀ କୃଷି ଅଧିକାରୀ ସନ୍ତୋଷ ବେହେରା, ଶଶିଭୂଷଣ ମହାପାତ୍ର, ନରେନ୍ଦ୍ର ମିଶ୍ର, ଜଗନ୍ନାଥ ସେନାପତି, ବ୍ଲକ୍‌ କୃଷି ଅଧିକାରୀ ସଂଜୟ ପାତ୍ର, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର