ଜିଲ୍ଲାସ୍ତରୀୟ ଏନଏସଏସ୍ ସମ୍ବର୍ଦ୍ଧନା ଉତ୍ସବ

ଯୁବବର୍ଗ ‘ମା, ମାଟି’କୁ ଭଲ ପାଇଲେ , ବିକଶିତ ସୁସ୍ଥ ରାଷ୍ଟ୍ର ଗଠନ ହେବ- ତାରା

ଜୟପୁର: ଆଜି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ସେବା ସଂସ୍ଥା (ଏନଏସଏସ) ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ଜାନୁଆରି ୨୬ରେ ନୂଆଦିଲ୍ଲୀ ସାଧାରଣତନ୍ତ୍ର ପ୍ୟାରେଡ଼ରେ ଏନଏସଏସ୍ ଦଳରେ ଓଡିଶା ପକ୍ଷରୁ ଭାଗ ନେଇ ଫେରିଥିବା ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରୀ ବର୍ଷାରାଣୀ ସାହୁ, ସେମିଳିଗୁଡା ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ର ଡମ୍ବୁରୁଧର ଗରଡ଼ାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହେବାକୁ ଥିବା ଶ୍ରେଷ୍ଠ ଏନଏସଏସ୍ ଅଧିକାରୀ ଭାବେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ.ମନୋରଂଜନ ପ୍ରଧାନ, କୁନ୍ଦ୍ରା ବିଜୁ ପଟ୍ଟନାୟକ କଲେଜର ଅଧ୍ୟାପକ ସୁଶାନ୍ତ କୁମାର ବେହେରାଙ୍କୁ ବି ଏଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ମନୋରମା ଦେବୀ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଯୁବବର୍ଗ ମା, ମାଟିକୁ ଭଲ ପାଇଲେ ବିକଶିତ ରାଷ୍ଟ୍ର ଗଠନ ହୋଇ ପାରିବ ବୋଲି କହିଥିଲେ। କୋରାପୁଟ ଜିଲ୍ଲା ସ୍ବାଧୀନତା ସଂଗ୍ରାମୀଙ୍କ ମାଟି। ଏଠାକାର ପ୍ରାକୃତିକ ବିଭବ, ଭାଇଚାରା, ସୌହାର୍ଦ୍ଧ୍ୟପୁର୍ଣ୍ଣ ବାତାବରଣ, ଚାଳିଚଳଣୀ, ପରମ୍ପରା, ରିତିନିତୀ, ଖାଦ୍ୟ ଦେଶରେ କେଉଁଠାରେ ବି ମିଳିବ ନାହିଁ ବୋଲି ବିଧାୟକ କହିଥିଲେ। ଏଠାକାର ଲୋକଙ୍କ ମଧ୍ୟରେ ଆଶା, ଆକ୍ଷଂକା କମ ରହିଥିଲେ ହେଁ ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ମମତା ଅଧିକା ରହିଛି ବୋଲି କହିଥିଲେ।

ମୋବାଇଲରେ ଅନଲାଇନ୍ କ୍ଲାସ ଠିକ୍। ମୋବାଇଲ୍ ଯେତେ ଉପକାରୀ ତା ଠାରୁ ଢ଼େର ଅଧିକା ସମାଜକୁ କଳୁଷିତ କରିବା, ଅପରାଧ, ଠକାମି, ଭଣ୍ଡାମି ଏବଂ ଛାତ୍ରଛାତ୍ରୀ ବାଟବଣା ହେବାର ପ୍ରକୃଷ୍ଟ ମାଧ୍ୟମ। ତେଣୁ ମୋବାଇଲ ଫୋନରୁ ଦୁରରେ ରହିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ୨ଜଣ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଓ ୨ଜଣ ଅଧ୍ୟାପକ ଅଂଚଳର ନାଁକୁ ରାଜ୍ୟ ଓ ସର୍ବଭାରତସ୍ତରରେ ଗୌରାବାନ୍ବିତ କରିଥିବାରୁ ସେମାନଙ୍କୁ ଭୂୟସୀ ପ୍ରଶାଂସା କରିଥିଲେ।

ଅଧ୍ୟକ୍ଷା ସଭାପତିତ୍ବ କରି କଲେଜର ଅଭାବ ଓ ଅସୁବିଧା ସଂପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ଏନଏସଏସ ସଂଯୋଜକ କିଶୋର ଚନ୍ଦ୍ର ବେହେରା ଜାତୀୟ ସେବା ସଂସ୍ଥାର ଲକ୍ଷ୍ୟ, ଅଭିମୁଖ୍ୟ ଆଦି ସଂପର୍କରେ ସାମ୍ୟକ୍ ସୂଚନା ଦେଇଥିଲେ। ଯୁବ ରେଡକ୍ରସ ସଂଯୋଜିକା କନକଲତା ମହାପାତ୍ର ମଂଚ ସଂଯୋଜନା କରିଥିଲେ। ଅଧ୍ୟାପକ ଡ.ମନୋରଂଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଡମ୍ବୁରୁଧର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର