ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଖୋର୍ଦ୍ଧା: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଓ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପର୍ଯ୍ୟଟନ ଅର୍ଥନୀତିର ଏକ ଅଂଶ ବିଶେଷ । ପର୍ଯ୍ୟଟନ କେବଳ ମଣିଷ ମନରେ ପ୍ରସନ୍ନତା ସୃଷ୍ଟି କରେ ନାହିଁ ଏହାସହ ପାରସ୍ପରିକ ସଦ୍ଭାବନା ଓ ଅଂଚଳର ଅର୍ଥନୀତିର ବିକାଶ ମଧ୍ୟ ଘଟିଥାଏ ବୋଲି ଅତିଥି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅପର୍ଣ୍ଣା ପ୍ରିୟଦର୍ଶିନୀ ମଙ୍ଗରାଜ, ପ୍ରଜ୍ଞାଂଶ ପ୍ରସାଦ ଦାସ, ସୀମାଂଚଳ ପଲେଇ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ସ୍ୱୟଂଶୁଭମ ରାୟ, ବୀରେନ୍ଦ୍ର କିଶୋର କଳାସ ଓ ରୋଜିନା ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଓ ପର୍ଯ୍ୟଟନ ବିଭାଗର କର୍ମଚାରୀମାନେ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର