ଜିଲ୍ଲା ଦୌରାଜଜ୍ କୋର୍ଟର ନିର୍ମାଣ କାମ ୬ବର୍ଷ ହେଲା ସରିନି, ଆଉ କେତେ ବର୍ଷ ଲାଗିବ?

ଜୟପୁର: ଗତ ୬ବର୍ଷ ତଳେ ଜୟପୁରରେ ୧୧କୋଟି ଟଙ୍କା ବ୍ୟୟରେ ୫ ମହଲା ବିଶିଷ୍ଟ ଜିଲ୍ଲା ଦୌରାଜଜ୍ କୋର୍ଟ ସହ ଅନ୍ୟ ପ୍ରମୁଖ ୧୧ଟି କୋର୍ଟ କୋଠାର ନିର୍ମାଣ ଆରମ୍ଭ ହୋଇଥିଲା। ପରେ କାମ ସରିଯାଇଛି ଏବଂ ହସ୍ତାନ୍ତର କରାଯିବାର ବାକି ରହିଛି ବୋଲି ଗତ ୭ମାସ ହେବ ପୂର୍ତ୍ତବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାରି ମଧ୍ୟରେ ଜିଲ୍ଲା ଦାୟିତ୍ବରେ ଥିବା ହାଇକୋର୍ଟର ନୋଡାଲ ବିଚାରପତି ବି ଗସ୍ତ କରି କାମର ତଦାରଖ କରି ଫେରିଥିଲେ। ଆଇନଜୀବୀ, ମହକିଲ, ସରକାରୀ ଅଧିକାରୀ, ସର୍ବସାଧାରଣ ଏହାକୁ ଜାନୁଆରିରେ ଆରମ୍ଭ ହେବ ବୋଲି ଆଶା ବାନ୍ଧିଥିଲେ। ତେବେ ଜାନୁଆରିରେ ଏହା ହୋଇ ପାରି ନଥିଲା।

ଅନ୍ୟ ପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ଏହାରି ପଛରେ କାମ ଆରମ୍ଭ ହୋଇଥିବା କୋର୍ଟର ଲୋକାର୍ପଣ କରାଯିବା ସହ ଏଠାରେ କାର୍ଯ୍ୟ ବି ଆରମ୍ଭ ହୋଇ ମାସକ ବିତିଲାଣି। ତେବେ ଏହି ନୂଆ କୋର୍ଟରେ କେବେ କାର୍ଯ୍ୟ ଆରମ୍ଭ ହେବ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ପ୍ରକାଶ ଯୋଗ୍ୟ, ୨୦୧୪-୧୫ ମସିହାରେ ୧୦ଏକର ପରିମିତ ଅଂଚଳରେ ୧୧କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଠିକା ନେଇଥିବା ଠିକାଦାର ଜଣକ ଏହି କାମକୁ ପୁଣି ଅନ୍ୟ ଜଣେ ଠିକାଦାରଙ୍କୁ ଦେଇଥିଲେ। ପ୍ରାରମ୍ଭରୁ କାମ ଧିମେଇ ଧିର ଗତିରେ ଚାଳିଥିଲା। ସଂପ୍ରତି ଚାଲିଥିବା ବହୁ କୋର୍ଟର ଅବସ୍ଥା ଏବଂ ସ୍ଥିତି ଭଲ ନାହିଁ। ଏହାକୁ ପ୍ରତିବର୍ଷ ପିଚୁ ଚାଦର ପକାଇବା କିମ୍ବା ମରାମତି କରି ସେଥି ମଧ୍ୟରେ କାମ ଚାଳିଛି। ଅନ୍ୟ ପକ୍ଷରେ ନୂଆ ଲାଲକୋଠାର ନିର୍ମାଣ କାମ ସରିଲେ ଏହା ଜୟପୁର ସହରର ପ୍ରମୁଖ ଆକର୍ଷଣୀୟ ତଥା ଆଇକନ୍ କୋଠା ମଧ୍ୟରେ ସ୍ଥାନ ପାଇବ। ଯଦିଓ କୋଭିଡ୍ ସଂକ୍ରମଣ ଭୟରେ ସଂପୁର୍ଣ୍ଣ କୋର୍ଟ ଚାଳୁ ନଥିଲେ ହେଁ ଜାମିନ, ଜରୁରୀ ମାମଲା ଓ ଜରୁରୀ ଦେୱାନୀ ମାମଲା ଗୁଡ଼ିକର ବିଚାର ଚାଳିଛି। ପୂର୍ବଭଳି ଯଦିଓ ଓକିଲ ଓ ମହକିଲଙ୍କ ଭୀଡ଼ ରହୁନି। ଏହା ବାଦେ ମଧ୍ୟ ଆଉ କେତେ ଦିନ ଏହାକୁ ପୂର୍ତ୍ତବିଭାଗ ହସ୍ତାନ୍ତର କରିବାକୁ ସମୟ ଲାଗିବ ବୋଲି ଜୟପୁର ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ଅଳ୍ପ ଦିନ ମଧ୍ୟରେ ଏହାର ହସ୍ତାନ୍ତର କରାଯିବ ବୋଲି ପୂର୍ତ୍ତବିଭାଗର ଏସଡିଓ ଇଂ.ବିଜୟ ବେହେରା କହିଛନ୍ତି। ତେବେ କେବେ ଠାରୁ ଏହି ନୂଆ କୋର୍ଟରେ କାର୍ଯ୍ୟ ଆରମ୍ଭ ହେବ ତାହାକୁ ନେଇ ଓକିଲ, ମହକିଲ ଓ ସାଧାରଣରେ ଉତ୍ସୁକତା ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର