ରାୟଗଡା: ଜିଲ୍ଲାରେ ଲୋକ କଳାକାରଙ୍କ କ୍ଷେତ୍ରରେ ଉନ୍ନତି ଏବଂ ଲୋକକଳାର ପ୍ରଚାର ଓ ପ୍ରସାର ପାଇଁ ଜିଲ୍ଲାରେ କଳା ସଂସ୍କୃତି ପରିଷଦ ଗଠନ ହୋଇଥାଏ ଏବଂ ଏହାର ସଭାପତି ଜିଲ୍ଲାରେ ଜିଲ୍ଲାପାଳ ରହିଥିବା ବେଳେ ବ୍ଲକ୍ ଗୁଡିକରେ ବିଡିଓମାନେ ରହିଥାନ୍ତି।ଗତକାଲି ଜିଲ୍ଲାରେ କଳା ସଂସ୍କୃତି ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲାପାଳ ଯୋଗ ଦେଇ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ପର୍ଯ୍ୟନ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ କଳା ସଂସ୍କୃତିର କମିଟି ଗଠନ କାହିଁକି ହୋଇପାରିନାହିଁ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରିଙ୍କ ଉପରେ ଜିଲ୍ଲାପାଳ ବର୍ଷିଥିଲେ।

Advertisment

ଫଳରେ ବୈଠକ ହୋଇପାରିନଥିବା ସୂଚନା ମିଳିଛି। ଏ ନେଇ ଜିଲ୍ଲା କଳା ସଂସ୍କୃତି ପରିଷଦର ଉପସଭାପତି ସନ୍ତୋଷ ବଛାଙ୍କୁ ପଚାରିବାରୁ ସେ କହିଥିଲେ ଯେ ସମୀକ୍ଷା ବୈଠକ ହୋଇପାରିଲା ନାହିଁ। କାରଣ ଜିଲ୍ଲାପାଳ ବୈଠକ ଆରମ୍ଭରୁ ହିଁ ବ୍ଳକ କଳା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ପରିଷଦର କମିଟି ଏଯାବତ୍ କାହିଁକି ଗଠନ କରାଯାଇ ନାହିଁ ବୋଲି ବିରକ୍ତି ପ୍ରକାଶ କରିବା ସହ କମିଟି ଯଥାଶୀଘ୍ର ଗଠନ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ଜିଲ୍ଲା କଳା ସଂସ୍କୃତି ଗଠନ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ କେଉଁ କାରଣରୁ ଜିଲ୍ଲା ସଂସ୍କୃତି ଅଧିକାରୀ କମିଟି ଗଠନରେ ବିଳମ୍ୱ କରୁଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ। କିନ୍ତୁ କିଛି ଆବେଦନକାରୀ ଏହାକୁ ନେଇ ଅସନ୍ତୁଷ୍ଟ ହେବା ସହ କିଛି ସ୍ବାର୍ଥ ରହିଛି କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି।

ଏନେଇ ସଂସ୍କୃତି ଅଧିକାରୀ ସସ୍ମିତା ବାଉରିଙ୍କୁ ଯୋଗାଯୋଗ କରାଯିବାରୁ ସେ ଜିଲ୍ଲାପାଳ ଅସନ୍ତୁଷ୍ଟ କଥା ସ୍ବୀକାର କରିଥିଲେ। ତେବେ କାହିଁକି ଆଜି ପର୍ଯ୍ୟନ୍ତ କମିଟି ଗଠନ ହୋଇନଥିବା ନେଇ ପଚାରିବାରୁ ସେ କହିଥିଲେ ଏହାର ଫାଇଲ୍ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି କିନ୍ତୁ ଗାଇଡଲାଇନ ଅନୁଯାୟୀ ଆବେଦନ କରିଥିବା ବ୍ୟକ୍ତିଙ୍କ ମାପଦଣ୍ଡ ନଥିବା କହି କଥାକୁ ଏଡାଇ ଦେବା ସହ ପର ମୁହୁର୍ତ୍ତରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଥିଲେ।