ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀକଲ୍ୟାଣ ସମିତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚିକିତ୍ସାଳୟର ବିକାଶ ନେଇ ବିଭିନ୍ନ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା ବିଶ୍ୱମୋହନ ମିଶ୍ର ରୋଗୀ କଲ୍ୟାଣ ସମିତି ପକ୍ଷରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରୁ ମିଳିଥିବା ସୂଚନାନୁସାରେ, ଚିକିତ୍ସାଳୟ ଚାରିପଟେ ଅଧାପନ୍ତରିଆ ହୋଇ ପଡ଼ିଥିବା ପାଚେରୀର ନିର୍ମାଣ, ୨ଟି ଫାଟକ । ବର୍ଜ୍ୟବସ୍ତୁ ଓ ଜଳ ନିଷ୍କାସନ ବ୍ୟବସ୍ଥା, ପରିସର ମଧ୍ୟରେ ଏକ ଔଷଧୀୟ ଉଦ୍ୟାନ ନିର୍ମାଣ କରାଯିବ ।

ଏହାସହ ଅନେକ ଦିନରୁ ଦାବି ହୋଇ ଆସୁଥିବା ଚିକିତ୍ସାଳୟ ପରିସରରେ ଏକ ପୁଲିସ ଫାଣ୍ଡି ସ୍ଥାପନା, ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା, ରୋଗୀଙ୍କ ପାଇଁ ପ୍ରତୀକ୍ଷାଳୟ, ଚିକିତ୍ସାଳୟରେ ନିର୍ମଳା ପ୍ଲସ ଯୋଜନା କାର୍ଯ୍ୟକାରୀ କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ଅଧୀକ୍ଷକ ଡା ମିଶ୍ର ରୋଗୀ କଲ୍ୟାଣ ସମିତିର ଆୟବ୍ୟୟ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନାନୁସାରେ, ୨୦୨୦-୨୧ରେ ୯ଲକ୍ଷ ୬୯ ହଜାର ଟଙ୍କା ଅନୁଦାନ ମିଳିଛି । ଏହା ମଧ୍ୟରୁ ୪ଲକ୍ଷ ୨୭ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ସେହିଭଳି ୨୦୨୦-୨୧ରେ ନିଦାନ ଯୋଜନାରେ ୨୧ଳକ୍ଷ ୨୮ହଜାର ଟଙ୍କା ମିଳିଥିବା ବେଳେ ବର୍ତମାନ ସୁଦ୍ଧା ସେଥିରୁ ୬ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବୈଠକ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ବର୍ଗର ୧୫ଜଣ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ନିକୁଂଜ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି, ଡିପିଏମ୍ ଗୀତାଂଜଳି ଦାଶଙ୍କ ସମେତ ସ୍ୱାସ୍ଥ୍ୟ, ନିର୍ମାଣ ବିଭାଗର ବିଭିନ୍ନ ଅଧିକାରୀ ଓ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର