ଜିଲ୍ଲାସ୍ତରୀୟ କୃମିନାଶକ ଅଭିଯାନ ଆରମ୍ଭ 

ଖୋର୍ଦ୍ଧା: ଆଜି ଜିଲ୍ଲାରେ କୃମିନାଶକ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ ଛାତ୍ରୀଙ୍କୁ କୃମିନାଶକ ବଟିକା ଖୁଆଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ବିଦ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୁଗ୍ମ ନିର୍ଦେଶକ (ପୋଷଣ) ଡଃ. ସୁରଜିତ ପଟ୍ଟନାୟକ, ଡିପିଏଚ୍ଓ ଡଃ. ପ୍ରଶାନ୍ତ କୁମାର ଦାଶ, ଏଡିପିଏଚ୍ଓ (ପରିବାର କଲ୍ୟାଣ) ଡଃ. ରଘୁନାଥ ନାୟକ, ଡିପିଏଚ୍ସିଓ ପ୍ରସନ୍ନ କୁମାର ମହାପାତ୍ର, ଡିପିଏମ୍ ପ୍ରକାଶ କୁମାର ବାନାର୍ଜୀଙ୍କ ସମେତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଅନୁଷ୍ଠିତ ସଭାରେ ଡାକ୍ତର ଓ ବିଶେଷଜ୍ଞ ମାନେ କୃମିର ସୃଷ୍ଟି, ପ୍ରକାର ଭେଦ, ମାନବଶରୀରରେ ଏହାର ପ୍ରଭାବ ଓ ବଂଶବିସ୍ତାର ଆଦି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ।

ଏହି ଅବସରରେ ମୁଖ୍ୟ ଚିକିତ୍ସାଧିକାରୀ ଡଃ. ନାୟକ କହିଛନ୍ତି ଯେ ଜିଲ୍ଲାରେ ୧ରୁ ୧୯ ବର୍ଷ ମଧ୍ୟରେ ୫ଲକ୍ଷ ୬୭ ହଜାର ୮୩୬ଜଣ ଶିଶୁ ଅଛନ୍ତି। କୃମି ନାଶକ ଅଭିଯାନରେ ଜିଲ୍ଲାର ୧୭୧୬ଟି ସ୍କୁଲ, ୨୫୪୯ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି କୃମିନାଶକ ବଟିକା ଦିଆଯିବ। ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ଯେଉଁମାନେ ଆଜି ଏହି ଔଷଧ ସେବନ କରିପାରିନଥିବେ ସେମାନେ ଆସନ୍ତା ୧୯ ତାରିଖରେ ଅନୁରୂପ ଅଭିଯାନରେ ଔଷଧ ସେବନ କରିପାରିବେ।

ସମ୍ବନ୍ଧିତ ଖବର