ପୁଣି ଜୋର ଧରିଲା ଘୁମୁସର ଜିଲ୍ଲା ଗଠନ ଦାବି, ଚିଠି ଦିଆନିଆରେ ସୀମିତ, ଆନ୍ଦୋଳନ ପାଇଁ ସଜବାଜ

ଭଞ୍ଜନଗର: ‘ରକ୍ତ ଦେଇଥିଲୁ ରକ୍ତ ଦେବୁ ଘୁମୁସର ଜିଲ୍ଲା ଆମେ ଗଢିବୁ’, ‘ମଶାଣୀ ନିଆଁର ଝୁଲ ହୋଇବୁ ଘୁମୁସର ଜିଲ୍ଲା ଆମେ ଗଢିବୁ’, ‘ଘୁମୁସର ଜିଲ୍ଲା ଆମର ଦାବି ବଦଳି ଯିବ ଏ ମାଟିର ଛବି’ ନବେ ଦଶକର ଏଭଳି କିଛି ସ୍ଳୋଗାନ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ଗଠନ କରିବା ନି‌ମନ୍ତେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏକତ୍ରିତ କରିବାରେ ସହାୟକ ହୋଇଥିବା ବେଳେ ବତ୍ତମାନ ପୁଣି ଘୁମୁସର ଜିଲ୍ଲା ଗଠନ ଦାବି ପୁଣି ଜୋର ଧରିବା ଆରମ୍ଭ କରିଛି। ସଂପ୍ରତି ଉପନିର୍ବାଚନ ସମୟରେ ରାଜ୍ୟରେ ଜିଲ୍ଲା ପୁର୍ନଗଠନ ଦାବି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ଉଠିଥିବା ବେଳେ ଦୀର୍ଘଦିନ ଧରି ଜିଲ୍ଲା ମାନ୍ୟତା ଦାବି କରୁଥିବା ରାଜ୍ୟର ବହୁ ଅଞ୍ଚଳରୁ ଏଭଳି ଦାବି ଉଠିବା ଆରମ୍ଭ ହେଇଛି। ଭଞ୍ଜନଗର ଓକିଲ ସଂଘ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମ୍ବାଦିକ ସଂଘ, ଓ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷର ଏହି ପ୍ରସ୍ତାବ ନେଇ ସ୍ବରୋତ୍ତରଳନ କରିବା ଆରମ୍ଭ କରିଲେଣି। ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ଟି ଜିଲ୍ଳାକୁ ୩୦କୁ ବୃଦ୍ଧି କରିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଏଥିରୁ ବାଦ୍‌ ପଡିଥିବା ବେଳେ ଦୀର୍ଘବର୍ଷ ଧରି ଜିଲ୍ଲା ମାନ୍ୟତା ଆଶାରେ ଆନ୍ଦୋଳନ ଚଳାଇଥିବା ବେଳେ ବର୍ତ୍ତମାନ ତାହା ତୀବ୍ରତର ହେବାକୁ ଲାଗିଲାଣି। ମାଡ୍ରାସ୍‌ ପ୍ରେସିଡେନ୍‌ସି ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାରେ ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ଘୁମୁସର ତାଲୁକାର ସ୍ବତନ୍ତ୍ର ପରିଚୟ ରହିଥିଲା। ସଂପ୍ରତି ଜିଲ୍ଲାରେ ଭଞ୍ଜନଗର ସମେତ ଛତ୍ରପୁର, ବ୍ରହ୍ମପୁର ତିନୋଟି ସଦରମହକୁମା ରହିଛି। ସେଥରୁ ଭଞ୍ଜନଗର(ଘୁମୁସର) ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ, ଧରାକୋଟ, ଆସିକା, ବୁଗୁଡା ବ୍ଳକ ରହିଛି। ତେଣୁ ଉପଖଣ୍ଡ ଆଖପାଖର ଆଉ ଦୁଇଟି ବ୍ଳକକୁ ନେଇ ଘୁମୁସର ଜିଲ୍ଲା ଗଠନ କରିବାକୁ ଦୀର୍ଘ ୩୦ ବର୍ଷ ହେବ ଦାବି ହୋଇ ଆସୁଛି। ରାଜ୍ୟରେ ଜିଲ୍ଲା ବିଭାଜିତ ସମୟରେ ଘୁମୁସର ଜିଲ୍ଲା ଗଠନ ନେଇ ପ୍ରସ୍ତାବ ଉଠିଥିଲା କିନ୍ତୁ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନାହିଁ। ଗତ ୧୯୯୨ ମସିହାରେ ଘୁମୁସର ଯୁବ କଲ୍ୟାଣ ସମିତି ଗଠନ ହେବା ସହ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଜିଲ୍ଲା ଗଠନ ନେଇ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା।

ଏହାପରେ ଜିଲ୍ଲାପାଳ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କୁ ଅବଗତ କରାଇବା ସହ ରାଜସ୍ବ ସଚିବଙ୍କୁ ଚିଠି ଲେଖିଥିଲେ। ଫଳରେ ରାଜସ୍ବ ବିଭାଗ ଏହାକୁ ବିଚାରକୁ ନେବା ସହ ଏହି ପ୍ରସ୍ତାବର ଯାଞ୍ଚ ଓ ଅନୁଧ୍ୟାନ କରି ‌ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆଁ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମୀ, କାର୍ଯ୍ୟାଳୟ, ବ୍ଳକ, ପଞ୍ଚାୟତ, ତହସିଲ, ଆର୍‌ଆଇ ସର୍କଲ, ରାଜସ୍ବ ଗ୍ରାମ ଆଦି ବିବରଣୀ ସହ ଭୌଗଳିକ ସ୍ଥିତି ଉପରେ ତଥ୍ୟ ସଂଗ୍ରହ କରାଯିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଭାବ‌େ ପରିଣତ କରିବାକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଭଞ୍ଜନଗରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଭିତ୍ତିଭୂମୀ ସହ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ସହ ଜିଲ୍ଲା ପାଇଁ ସମସ୍ତ ଯୋଗ୍ୟତା ରହିଥିବା ଜିଲ୍ଲାପାଳ ମାନେ ଜବାବ ମଧ୍ୟ ଦାଖଲ କରିଛନ୍ତି। କିନ୍ତୁ କାର୍ଯ୍ୟକାରିତ ଆଜି ମଧ୍ୟ ଫାଇଲ ତଳେ ରହି ଯାଇଛି। ତେଣୁ ବହୁବର୍ଷ ତଳୁ ପ୍ରସ୍ତାବିତ ଘୁମୁସର ଜିଲ୍ଲା ଗଠନ ଦାବି ପୁଣି ଜୋରଦାର ହେବା ଆରମ୍ଭ ହୋଇଛି। ବହୁ ସଙ୍ଗଠନ, ଯୁବବର୍ଗ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ,ଓକିଲ ସଂଘ ଦାବିର ଯଥାର୍ଥତା ସପକ୍ଷରେ ସ୍ବରୋତ୍ତୋଳନ କରିବା ସହ ଆନ୍ଦୋଳନ ‌ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି। ଓକିଲ ସଂଘ ବିଭିନ୍ନ ସଙ୍ଗଠନକୁ ନେଇ ଏସଂର୍ପକରେ ଏକ ବୈଠକ କରିବା ନେଇ ଯୋଜନା କରିଥିବା ସଭାପତି ସନ୍ତୋଷ ନାୟକ ସୂଚନା ଦେଇଥିବା ବେଳେ ବରିଷ୍ଠ ନାଗରିକ ମଞ୍ଚ ଆ‌ନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ସଭାପତି ସୋମନାଥ ନାୟକ କହିଛନ୍ତି। ଏଥିସହ ଉତ୍କଳ ସାମ୍ବାଦିକ ସଂଘ ମଧ୍ୟ ଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାପନ କରିବା ନେଇ ସଂଘ ପ୍ରକାଶ କରିଛି। ତେବେ ରାଜ୍ୟ ସରକାର ଏହି ଦାବିକୁ କେତେଦୂର ଗୁରୁତ୍ବ ଦେବେ ତାହା ସମୟ କହିବ।

ସମ୍ବନ୍ଧିତ ଖବର