ରାଷ୍ଟ୍ରୀୟ ନେତ୍ରଜ୍ୟୋତି ଅଭିଯାନ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା, ପ୍ରତିବର୍ଷ ଦୃଷ୍ଟିଶକ୍ତିହୀନଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଉଛି

୨୦୨୫ ସୁଦ୍ଧା ୬୪ହଜାର ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଲକ୍ଷ୍ୟ

ଖୋର୍ଦ୍ଧା: ଜିଲ୍ଲାରେ ଜନସଂଖ୍ୟା ବର୍ତ୍ତମାନ ୨୪ଲକ୍ଷ ୭୬ହଜାର। ଏହା ମଧ୍ୟରୁ ପ୍ରାୟ ୩ ପ୍ରତିଶତ ଲୋକ ଆଗାମୀ ୩ ବର୍ଷ ମଧ୍ୟରେ ମୋତିଆବିନ୍ଦୁ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି। କେବଳ ଏହାନୁହେଁ ପ୍ରତିବର୍ଷ ମୋତିଆବିନ୍ଦୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ ୬୪ ହଜାର ଲୋକଙ୍କ ରାଷ୍ଟ୍ରୀୟ ନେତ୍ରଜ୍ୟୋତି ଅଭିଯାନରେ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବା ଲକ୍ଷ୍ୟ ରଖାଯାଇଛି। ଏନେଇ ଆଜି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରୁ ମିଳିଥିବା ସୂଚନାନୁସାରେ, ୨୦୧୫-୧୮ ମଧ୍ୟରେ ଜାତୀୟ ଅନ୍ଧତ୍ୱ ଓ ଦୃଷ୍ଟିଶକ୍ତି ହୀନ ସର୍ଭେ ରିପୋର୍ଟ ଅନୁସାରେ ୫୦ ବର୍ଷ ଓ ଉର୍ଦ୍ଧ୍ବ ଲୋକଙ୍କ ମଧ୍ୟରେ ୧.୯୯ ପ୍ରତିଶତ ଲୋକ ଅନ୍ଧତ୍ୱ ଓ ୧.୯୬ ପ୍ରତିଶତ ଲୋକ ଗୁରୁତର ଦୃଷ୍ଟିଶକ୍ତିହୀନତା ରୋଗରେ ପୀଡ଼ିତ ଅଟନ୍ତି।

ଏହି ସଂଖ୍ୟା ପ୍ରତିବର୍ଷ ୨୦ ପ୍ରତିଶତ ବୃଦ୍ଧି ପାଉଛି। ୨୦୨୨-୨୩ରେ ୧୭ ହଜାର ୮୩୧ ଜଣଙ୍କ ମୋତିଆବିନ୍ଦୁ ଆସ୍ତ୍ରୋପଚାର କରାଯିବା ଲକ୍ଷ୍ୟ ରହିଥିବା ବେଳେ ୨୦୨୩-୨୪ରେ ୨୧ହଜାର ୩୯୯ ଓ ୨୦୨୪- ୨୫ରେ ୨୪ ହଜାର ୯୬୬ଟି ଅସ୍ତ୍ରୋପଚାର କରାଯିବ। ଏଭଳି ତିନିବର୍ଷ ମଧ୍ୟରେ, ୨୦୨୫ ସୁଦ୍ଧା ୬୪ହଜାର ୧୯୬ଟି ଅସ୍ତ୍ରୋପଚାର କରାଯିବ। ବୈଠକରେ ଅନ୍ୟ ପ୍ରସଙ୍ଗ ମଧ୍ୟରେ ଅନ୍ଧତ୍ୱଦୂରୀକରଣ ଅଭିଯାନରେ ସମ୍ପୃକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଜଡ଼ିତ ଘରୋଇ ଚିକିତ୍ସାଳୟ, ଚକ୍ଷୁ ଚିକିତ୍ସା ପାଇଁ ପଞ୍ଜୀକୃତ ହୋଇଥିବା ଅନ୍ୟ ଘରୋଇ ଚିକିତ୍ସାଳୟ, ଜିଲ୍ଲାର ଚକ୍ଷୁ ଅସ୍ତ୍ରୋପଚାର ନିମନ୍ତେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଥିବା ଆନୁସଙ୍ଗିକ ସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ. ପ୍ରସନ୍ନକୁମାର ଦାସ, ମହାମାରୀ ବିଶେଷଜ୍ଞ ଡଃ. ପ୍ରଫୁଲ୍ଲ କୁମାର ପଣ୍ଡା, ଡିପିଏମ୍ ଏନ୍ପିସିବିଭିଆଇ ଡଃ. ଅଜୟ କୁମାର ସିଂହ, ଡିଏଏମ୍ ଏନ୍ଏଚ୍ଏମ୍ ତ୍ରିଶୁଳ ରାଉଳ, ସହକାରୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଚକ୍ଷୁ ଚିକିତ୍ସା କରୁଥିବା ଘରୋଇ ଚିକିତ୍ସାଳୟର କର୍ମକର୍ତ୍ତା ଓ ଚକ୍ଷୁ ଚିକିତ୍ସା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର