କୋଣାର୍କ: ବଙ୍ଗାପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ଗତ ରାତିରୁ ଚନ୍ଦ୍ରଭାଗାଠାରେ ବଙ୍ଗୋପସାଗର ଅଶାନ୍ତ ହୋଇପଡ଼ିଛି। କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗିରହିଛି। ଘୁର୍ଣ୍ଣିବଳୟ ଫଳରେ ସମୁଦ୍ରରେ ପ୍ରବଳ ଜୁଆର ସୃଷ୍ଟି ହେଉଛି। ଜୁଆର ପ୍ରକୋପରେ ସମୁଦ୍ରରେ ବିରାଟ ବିରାଟ ଢେଉ କୂଳରେ ପିଟି ହେଉଛି। ଜୁଆର କୂଳକୁ ମାଡ଼ି ଆସିବାରେ ଦୁଇରୁ ତିନିଟି ହସ୍ତଶିଳ୍ପ ସାମଗ୍ରୀ ଦୋକାନ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବଙ୍ଗୋପସାଗର ଓ କୁଶଭଦ୍ରା ନଦୀର ସଂଗମସ୍ଥଳୀ ମୁହାଣ ମୁହଁ ଦେଇ କୁଶଭଦ୍ରା ନଦୀରେ ପ୍ରବଳ ସମୁଦ୍ର ପାଣି ପଶୁଥିବା ଦେଖାଯାଇଛି।
କୁଶଭଦ୍ରଠାରେ ସମୁଦ୍ର ପାଣି ପଶିବା ଦ୍ବାରା ନଦୀ ଜଳପତ୍ତନ ଫୁଲିବା ଆରମ୍ଭ ହୋଇଛି। କୁଶଭଦ୍ରାରେ ସୃଷ୍ଟି ହେଉଥିବା ଜୁଆର ସବୁ ଆସି ସୁରକ୍ଷା ପାଚେରିରେ ପିଟି ହେଉଥିବାରୁ ରାମଚଣ୍ଡୀ ମନ୍ଦିର ପ୍ରତି ମଧ୍ୟ ବିପଦାବସ୍ଥା ସୃଷ୍ଟି ହେବାର ଆଶଙ୍କା ବଢ଼ୁଛି। ଅନ୍ୟପକ୍ଷରେ ଭୟଙ୍କର ଜୁଆର ଦେଖି ପର୍ଯ୍ୟଟକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଗକୁ ଗୋଟିଏ ଦିନରେ ସଂକ୍ରାନ୍ତି ଓ ଅମାବାସ୍ୟା ରହିଥିବା ବେଳେ ଲଘୁଚାପ ଘନୀଭୁତ ହେବାର ଆଶଙ୍କା ଥିବାରୁ ଚନ୍ଦ୍ରଭାଗାରେ ସମୁଦ୍ର ଆହୁରି ଅଶାନ୍ତ ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ଜନଜୀବନ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟୟ ପଦକ୍ଷେପ ନେବା ପାଇଁ ଦାବି ପ୍ରକାଶ ପାଇଛି। ସଂପ୍ରତି ରାମଚଣ୍ଡୀଠାରୁ ଇକୋରିଟ୍ରିଟ୍ ଉତ୍ସବସ୍ଥଳୀ, ଚନ୍ଦ୍ରଭାଗା ଛକ ଦେଇ ନୋଳିଆସାହି ପର୍ଯ୍ୟନ୍ତ ଲୋକ ଚଳପ୍ରଚଳ କରୁଥିବା ଅଞ୍ଚଳରେ ସୂଚନା ଫଳକ ଲଗାଯିବା ସହିତ ସୁରକ୍ଷା କର୍ମୀ ମୁତୟନ ପାଇଁ ଦାବି ହୋଇଛି।