ମା’ ତାରିଣୀ ମନ୍ଦିର ପରିଚାଳନାରେ ବିଭ୍ରାଟ

ଘଟଗାଁ: ମା’ ତାରିଣୀ ମନ୍ଦିର ପରିଚାଳନାରେ ବିଭ୍ରାଟ ଦେଖାଦେଇଛି। ଗତକାଲି ଏମିତି କିଛି ବିଶୃଙ୍ଖଳା ଯୋଗୁଁ ସଂଧ୍ୟା ଆଳତି ଅଧାରୁ ବନ୍ଦ କରିଦିଆଗଲା। ହଠତ୍ ଆଲୁଅ ଲିଭାଇ ଦିଆଗଲା। ବାଜା ପିଟା ବି ବନ୍ଦ କରିଦିଆଗଲା। ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁ ଏଭଳି ଅବ୍ୟବସ୍ଥା ଦେଖି ହତଚକିତ ହୋଇପଡ଼ିଥିଲେ। ପ୍ରାୟ ୧୫ ମିନିଟ୍ ପରେ ପୁଣିଥରେ ଆଳତି ହୋଇଥିଲା। ଏଭଳି ପରିସ୍ଥିତିରେ ଅସନ୍ତୁଷ୍ଟ ଶ୍ରଦ୍ଧାଳୁମାନେ ମନ୍ଦିର ପରିଚାଳନା ଅଫିସ୍‌କୁ ଘେରାଉ କରିଥିଲେ।

ଦୀର୍ଘ ୧୧ ମାସ ହେଲା ଟ୍ରଷ୍ଟ ବୋର୍ଡ ଭାଙ୍ଗିବା ପରଠାରୁ ଏହି ବିଶୃଙ୍ଖଳା ଦେଖାଦେଇଥିବା ଅଭିଯୋଗ ହେଉଛି। ଦେବୋତ୍ତର ବିଭାଗ ତରଫରୁ ଯେଉଁ ଡିଆଇଙ୍କୁ ଦାୟିତ୍ୱ ଦିଆଯାଇଛି  ସେ ସମ୍ବଲପୁର ରହୁଥିବା ବେଳେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କେନ୍ଦୁଝରରେ ରହୁଛନ୍ତି। ଏମାନଙ୍କ ଅନୁପସ୍ଥିତିରେ ଜଣେ ଅଣ କର୍ମଚାରୀ ଅଫିସ ଓ ଗେଷ୍ଟ ହାଉସରେ କର୍ମଚାରୀଙ୍କୁ ହାକିମାତି ଦେଖାଉଥିବା ମଧ୍ୟ ଅଭିଯୋଗ ହେଉଛି।
ଗତକାଲି ସନ୍ଧ୍ୟା ଆଳତି ନିର୍ଧାରିତ ସାଢ଼େ ୭ଟାରେ ଆରମ୍ଭ ହୋଇଥିଲା। ଶେଷ ପର୍ଯ୍ୟାୟରେ ମା’ଙ୍କୁ କର୍ପୁର ଆଳତି ଦେବାବେଳକୁ ହଠାତ୍‌ ଆଲୁଅ ନିଭାଇ ଦିଆଗଲା। ବାଜା ପିଟିବା ବନ୍ଦ କରିଦିଆଗଲା। ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁ ଏପରି ଅଘଟଣ ଦେଖି ହତଚକିତ  ହୋଇପଡ଼ିଥିଲେ। ସନ୍ଧ୍ୟାଆଳତିରେ ଥିବା ମୁଖ୍ୟ ପୂଜକ ହାତରେ କର୍ପୁର ଧରିଥିବା ବେଳେ ହଠାତ ବାଜା ବନ୍ଦ ଦେଖି ଅଟକି ଯାଇଥିଲେ। ଶ୍ରଦ୍ଧାଳୁ ସହଜରେ ଏହାକୁ ଗ୍ରହଣ କରିପାରି ନଥିଲେ। ପ୍ରଥମେ ପୂଜକ ଓ ପରେ ଶ୍ରଦ୍ଧାଳୁମାନେ ଅଫିସକୁ ବୁଝିବାକୁ ଯାଇଥିଲେ। ସେଠାରେ କୌଣସି ଅଧିକାରୀଙ୍କୁ ପାଇ ନଥିଲେ। କେବଳ ଜଣେ ମନ୍ଦିର କର୍ମଚାରୀ ହରେକୃଷ୍ଣ ବେହେରାଙ୍କୁ ପାଇ ତାଙ୍କୁ ପଚାରି ବୁଝିବାସହ ତୁରନ୍ତ ଆଳତି ବ୍ୟବସ୍ଥା ପାଇଁ ଦାବି କରିଥିଲେ। ଖାଲିସେତିକି ନୁହେଁ ଗତକାଲି ଆଳତି ଦର୍ଶନରେ ଖୋଦ ଘଟଙ୍ଗା ଥାନା ଅଧିକାରୀ ଥିଲେ। ସେ ବି ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଶ୍ରଦ୍ଧାଳୁଙ୍କ ଉଦ୍‌ବେଗକୁ ଦେଖି ସେମାନଙ୍କୁ ବୁଝାସୁଝା କରିଥିଲେ। ଅଫିସ କର୍ମଚାରୀ ଜଣକ ଆଳତି ସମ୍ପୂର୍ଣ କରିବା ପାଇଁ ନିର୍ଦେଶ ଦେବା ପରେ ଆଳତି ଆଉଥରେ ହୋଇଥିଲା।

ସନ୍ଧ୍ୟା ଆଳତି ବନ୍ଦ କାହିଁକି କରାଗଲା ସେନେଇ ଦାୟିତ୍ୱରେ ଥିବା ସମ୍ବଳପୁର ଡିଆଇ ଦକ୍ଷିଣ କୁମାର ମାରାଣ୍ଡିଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନଥିଲେ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ରଙ୍କୁ ଫୋନରେ ପଚାରିବାରୁ ସେ ଆଳତିରେ ବିଭ୍ରାଟକୁ ସ୍ୱୀକାର କରିଥିଲେ। ତେବେ ପରେ ଆଳତି କରାଯାଇଥିବା ସେ କହିଥିଲେ। ତେବେ ଆଲୁଅ ଲିଭା ଘଟଣାକୁ ଅସ୍ବୀକାର କରିଥିଲେ। ଏସବୁ ଅବ୍ୟବସ୍ଥା ପାଇଁ ଦେବୋତ୍ତର ବିଭାଗକୁ ଅଙ୍ଗୁଳି ଉଠିଛି। କାରଣ ଦୀର୍ଘ ୧୧ ମାସ ହେଲା ମନ୍ଦିର ପରିଚାଳନା ବୋର୍ଡ ଭାଙ୍ଗିଯାଇଥିଲେ ହେଁ ନୂତନ ବୋର୍ଡ ଗଠନ କରାଯାଇନାହିଁ। ଏଥିନେଇ ଦରଖାସ୍ତ ଆହ୍ୱାନ କରାଯାଇଥିଲେ ହେଁ ବୋର୍ଡ ଗଠନ ନ କରି ଦିନ ଗଡ଼ାଇ ଚାଲିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର