ରାୟଗଡା: ବିଶିଷ୍ଟ ଲେଖକ ଡ଼ଃ ଦ୍ବିତୀ ଚନ୍ଦ୍ର ସାହୁ ପାଇଲେ ସିନ୍ଧୁଜା ସମ୍ନାନ ୨୦୨୪। ଭୁବନେଶ୍ୱରସ୍ଥ ସୂଚନା ଭବନ ପରିସର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ମାସିକ ମହିଳା ଓ ପାରିବାରିକ ପତ୍ରିକା ସିନ୍ଧୁଜାର ଦ୍ଵାଦଶ ବାର୍ଷିକ ଉତ୍ସବ ଅବସରରେ ଡ଼ଃ ସାହୁଙ୍କୁ ମାନପତ୍ର, ସ୍ମାରକୀ ଓ ଉପଢୌକନ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଛି।ଦୀର୍ଘ ବର୍ଷ ଧରି ନିଷ୍ଠାପର ସାହିତ୍ୟ ସାଧନା ଲାଗି ତାଙ୍କୁ ଏଇ ସମ୍ମାନରେ ସମ୍ମାନିତ କରାଯାଇଥିବା ପତ୍ରିକାର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମାଧବ ବେହୁରା କହିଛନ୍ତି।ବିଶିଷ୍ଟ ଲେଖିକା ଡ଼ଃ ଅର୍ଚ୍ଚନା ନାୟକଙ୍କ ସ୍ୱଭାପତିତ୍ବରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାୟ, ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳସଚିବ ଡ଼ଃ ନୃପରାଜ ସାହୁ ଏବଂ ପତ୍ରିକାର ସମ୍ପାଦିକା ଶର୍ମିଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ ସାହୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ସର୍ବାଙ୍ଗୀନ ବିକାଶ ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବିଲେଷୁ ଉଚ୍ଚ ବିଦ୍ୟାଳୟରେ ଟିଜିଟି ଶିକ୍ଷକ ଭାବେ କର୍ମରତ ଡ଼ଃ ସାହୁ ବିଦ୍ୟାଳୟ ସ୍ତରରେ ନୂତନ ଶୈକ୍ଷିକ ପରୀକ୍ଷଣ କରି ସେ ବେଶ ସଫଳତା ହାସଲ କରିଛନ୍ତି।ପିଲାଙ୍କ ଲାଗି ସେ କାର୍ଯ୍ୟକାରୀ କରିଥିବା ବହୁ ଅଭିନବ କାର୍ଯ୍ୟକ୍ରମକୁ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ବେଶ ପ୍ରଶଂସା କରିଛନ୍ତି।ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ ସହ ସୁସାହିତ୍ୟିକ, ଗୀତିକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, କ୍ଷୁଦ୍ର ଚଳଚିତ୍ର ନିର୍ଦ୍ଦେଶକ ସର୍ବୋପରି ଆଦିବାସୀ ସଂସ୍କୃତି ଗବେଷକ।ସେ ବର୍ତମାନ ସୁଦ୍ଧା ୧୭ଟି ପୁସ୍ତକ ରଚନା କରିଥିବାବେଳେ ଜଣେ ପ୍ରସିଦ୍ଧ ସ୍ତମ୍ଭକାର ଓ କଥାକାର ଭାବେ ଓଡ଼ିଆ ସାହିତ୍ୟ ଜଗତରେ ପରିଚିତ।

ମନ୍ତ୍ରୀ ନାୟକ ସମେତ ଉପସ୍ଥିତ ସମସ୍ତ ଅତିଥି ଡ଼ଃ ଦ୍ବିତୀଚନ୍ଦ୍ରଙ୍କ ନିୟମିତ ପ୍ରକାଶିତ ସ୍ତମ୍ଭ ଲେଖା ଓ ସାହିତ୍ୟ ସୃଜନକୁ ପାଠ କରୁଥିବା କହିବା ସହ ତାଙ୍କ ନିଷ୍ଠାପର ସାହିତ୍ୟ ସାଧନାକୁ ଭୂୟଶୀ ପ୍ରଶଂସା କରିଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ପ୍ରଶାସକ ଜଗନ୍ନାଥ ମହାନ୍ତି, ପ୍ରଫେସର ନାକୁ ହଂସଦା, ଡ଼ଃ ଅଜୟ ସ୍ବାଇଁ, ଭୀମ ପୃଷ୍ଟି, କବି ଅଜୟ ସ୍ବାଇଁ, ଦେବାଶିଷ ସାମନ୍ତରାୟ, ସୁଜାତା ମହାପାତ୍ର, ହରିହର ପଣ୍ଡା, ସୁଷମା ମିଶ୍ର, କୀର୍ତ୍ତି ଚନ୍ଦ୍ର ସାହୁ, ଶିବାଶିଷ ପାଢ଼ୀ ସମେତ ରାୟଗଡ ଜିଲ୍ଲାର ସାହିତ୍ୟିକ ତଥା ବୁଦ୍ଧିଜୀବୀମାନେ ଡ଼ଃ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।