ରାୟଗଡ଼ା: ନୂଆ ଡିଭିଜନ୍ ଅଗ୍ରଗତି ପାଇଁ ଆବଶ୍ୟକ ଅନୁଦାନ ମିଳିନି। ଘୋଷଣା ସମୟରେ ଯେଉଁ ସାମାନ୍ୟ ଅନୁଦାନ ମିଳିଛି ସେଥିରେ ହିଁ ନିର୍ମାଣ କାମ ଚାଲିଛି। ନିର୍ମାଣଧୀନ କାମ କନଷ୍ଟ୍ରକସନ୍ କମ୍ପାନି କରୁଥିବାରୁ ତଦାରଖ ପରେ ହିଁ ଅଗ୍ରଗତି ସମ୍ପର୍କରେ ଜଣାପଡିବ। ରାୟଗଡ଼ାରେ ନୂଆ ରେଳ ଡିଭିଜନର ଅଗ୍ରଗତି ସମୀକ୍ଷା କରି ଏପରି ମତ ରଖିଛନ୍ତି ବିଶାଖାପାଟଣା ଡିଆରଏମ୍ ଅନୂପ ଶତପଥୀ। ଶ୍ରୀ ଶତପଥୀ କହିଛନ୍ତି ଯେ, କରୋନା ଯୋଗୁ ରେଳ ବିଭାଗ ଆର୍ଥିକ କ୍ଷତି ସହିଥିବାରୁ ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମରେ ଅସୁବିଧା ହେଉଛି। ତଥାପି ଆଗାମୀ ବଜେଟରେ ରାୟଗଡ଼ା ଡିଭିଜନକୁ ଗୁରୁତ୍ବ ମିଳିବାର ସମ୍ଭାବନା ରହିଛି।

Advertisment

ରାୟଗଡ଼ା ଷ୍ଟେସନରେ ନିକଟରେ ଶେଷ ହୋଇଥିବା ବିଭିନ୍ନ ଉନ୍ନତିକରଣକୁ ଡିଆରଏମ୍ ବୁଲି ଦେଖିବା ସହ ନୂତନ ଡିଭିଜନ୍ ପାଇଁ ଆବଶ୍ୟକ ପୃଷ୍ଠଭୂମି, ଜାଗା ଚିହ୍ନଟକରଣ, ଭିତ୍ତିଭୂମି ବିକାଶ ଅନୁଧ୍ୟାନ କରିଛନ୍ତି। କରୋନା କଟକଣା ଯୋଗୁ ଶତପ୍ରତିଶତ ଟ୍ରେନ ଚଳାଚଳ କରୁନଥିବାରୁ ବନ୍ଦ ଥିବା ଟ୍ରେନ ଗୁଡ଼ିକ ଚଳାଚଳ ପାଇଁ ବିଭାଗ ଚିନ୍ତା କରୁଛି। ସେହିପରି ଗୁଣପୁର-ଥେରୁବାଲି ରେଳପଥ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଜମି ଚିହ୍ନଟକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିଆରଏମ୍ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ଗୁଣପୁର-ପାରଳାଖେମୁଣ୍ଡି ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନଥିବାରୁ ଖୁବ୍ ଶୀଘ୍ର ଉଭୟ ଷ୍ଟେସନ ପରିଦର୍ଶନରେ ଯାଇ ବିକାଶ ଦିଗରେ ଦୃଷ୍ଟି ଦେବେ ବୋଲି ଡିଆରଏମ୍ କହିଛନ୍ତି।

ଉଭୟ ଷ୍ଟେସନର ପ୍ଲାଟଫର୍ମ କମ୍ ଉଚ୍ଚତା କାରଣରୁ ଟ୍ରେନ ଚଢ଼ିବା ସମୟରେ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟିକେଟ ବିକ୍ରିକୁ ଆଖି ଆଗରେ ରଖି ଷ୍ଟେସନ ଭିତ୍ତିଭୂମିର ବିକାଶ ଦିଗରେ ରେଳ ବିଭାଗ ପଦକ୍ଷେପ ନେଉଥିବା ଡିଆରଏମ୍ କହିଛନ୍ତି। ରାୟଗଡ଼ା ଷ୍ଟେସନରେ ଲୋକ ପାଇଲଟ୍, ଗାର୍ଡ ରୁମ୍ ସହିତ ଅନ୍ୟ ନିର୍ମାଣ କାମ ପରିଦର୍ଶନ ପରେ କୋରାପୁଟ ଅଭିମୁଖେ ଯାଇଥିଲେ ଡିଆରଏମ୍। ରାୟଗଡ଼ା ସମେତ ଟିକିରି, ଲକ୍ଷ୍ମୀପୁର, ଦାମନଯୋଡ଼ି, କୋରାପୁଟ ଷ୍ଟେସନର ବିକାଶ ଆଗକୁ ଆଖିଦୃଶିଆ ହେବା ଦିଗରେ ରେଳ ବିଭାଗ ପଦକ୍ଷେପ ନେଇଛି।

ଡିଆରଏମ୍ ଶ୍ରୀ ଶତପଥୀଙ୍କ ସମେତ ସିନିୟର୍ ଡିଭିଜିନାଲ୍ କର୍ମସିଆଲ୍ ମ୍ୟାନେଜର୍ ଏ. କେ. ତ୍ରିପାଠୀ, ସିନିୟର୍ ଡିଭିଜିନାଲ୍ ଅପରେଟର୍ ଜି. ସୁନୀଲ୍, ସିନିୟର୍ ଡିଭିଜିନାଲ୍ ଇଞ୍ଜିନିୟର୍ ପ୍ରଦୀପ ଯାବଦଙ୍କ ସମେତ ଅନ୍ୟ ବିଭାଗ ଅଧିକାରୀ ରାୟଗଡ଼ା ଗସ୍ତରେ ଆସିଥିଲେ। ସୂଚନାଯୋଗ୍ୟ, ୨୦୧୯ ଜୁଲାଇ ୧୭ ତାରିଖରେ ରାୟଗଡ଼‌ାରେ ନୂଆ ରେଳ ଡିଭିଜନ୍ ପ୍ରତିଷ୍ଠା ନେଇ ଘୋଷଣା କରିଥିଲା ରେଳ ମନ୍ତ୍ରଣାଳୟ। ନୂଆ ଡିଭିଜନ୍ କାର୍ଯ୍ୟକାରୀ ପାଇଁ ୧୮୬ କୋଟି ବ୍ୟୟ ଅଟ୍ଟକଳ ହୋଇଥିବା ବେଳେ‌ ଗତ ଦୁଇ ବଜେଟରେ ମିଳିଛି ମାତ୍ର ୩ କୋଟି ୪୦ ଲକ୍ଷ। ରାୟଗଡ଼ା ନୂଆ ଡିଭିଜନ୍ କାର୍ଯ୍ୟକାରୀ ହେଲେ ଓଡ଼ିଶା-ଆନ୍ଧ୍ର-ଛତିଶଗଡରେ ଥିବା ୮୪ଟି ଷ୍ଟେସନ ସହ ୫୮୫ କିମି ରେଳପଥ ୱାଲଟିୟର୍ ଡିଭିଜନରୁ ରାୟଗଡ଼ାକୁ ଆସିବ। ଆଗାମୀ ଦିନରେ ନୂତନ ରେଳପଥ କାର୍ଯ୍ୟକ୍ଷମ ହେଲେ ଆଉ ୩୬୩ କିମି ରେଳପଥ ଏହି ଡିଭିଜନକୁ ଆସିବ। ହେଲେ ଅନୁଦାନ ଅଭାବରୁ ନୂଆ ଡିଭିଜନ୍ ଅଗ୍ରଗତି ବାଧାପ୍ରାପ୍ତ ହୋଇଛି।