ଏଥର ଦୀପାବଳିରେ ଫୁଟିବନି ବାଣ, ବାରିପଦା ବଜାରରେ ଭଳିକି ଭଳି ରଙ୍ଗବେରଙ୍ଗର ମାଟି ଦୀପର ସମ୍ଭାର

ମନ ମୋହୁଛି କଣ୍ଢେଇ ଦୀପ

ବାରିପଦା: ଚଳିତ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ବୋଧହୁଏ ଦୀପାବଳିରେ ଫୁଟିବନି ବାଣ। ଆଲୋକର ପର୍ବ ଦୀପାବଳିରେ ଶୋଭା ପାଇବ କେବଳ ରଙ୍ଗବେରଙ୍ଗ ଆଲୋକମାଳା। କରେନା ମହାମାରୀ କାରଣରୁ ଚଳିତ ବର୍ଷ ଦୀପାବଳିରେ କୌଣସି ପ୍ରକାର ବାଣ ଫୁଟିବା ନେଇ ସରକାର ନିଷେଧାଦେଶ ଜାରି କରିଛନ୍ତି। ସେହିଭଳି ଚଳିତ ଦୀପାବଳିରେ ଚାଇନା ନିର୍ମିତ କୌଣସି ସାମଗ୍ରୀ ବିକ୍ରିବଟା ଉପରେ ମଧ୍ୟ କଟକଣା ଲାଗିଛି। ତେଣୁ ୨ୟଶ୍ରୀକ୍ଷେତ୍ର ବାରିପଦାରେ ଦୀପାବଳିକୁ ବିଭିନ୍ନ ପ୍ରକାର ମାଟିଦୀପରେ ସଜ୍ଜିତ କରି ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ବାରିପଦାରେ ପ୍ରତିବର୍ଷ ଦୀପାବଳିକୁ ହର୍ଷ ଉଲ୍ଲାସର ସହିତ ପାଳନ କରାଯାଇଥାଏ।

ମାତ୍ର ଏହି ଦୀପାବଳି କରୋନାରେ ବାଧିତ ହୋଇଥିବାରୁ କେବଳ ଦୀପରେ ସାଜସଜା କରି ପାଳନ କରିବାର ଯୋଜନା ରହିଥିବା ପରିଲକ୍ଷିତ ହୋଇଛି। ବାରିପଦା ବଜାରରେ ଏଥର ରଙ୍ଗବେରଙ୍ଗର ଭଳିକିଭଳି ମାଟିଦୀପର ସମ୍ଭାର ଦେଖିବାକୁ ମିଳିଛି। ଛୋଟ ଦୀପଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ରଙ୍ଗରେ ସଜ୍ଜିତ ଦୀପ ବିକ୍ରିବଟା ହେଉଥିବା ଦେଖିବାକୁ ମିଳିଛି। ଯେହେତୁ ବାଣ ଫୁଟିବା ମନା ସେଥିପାଇଁ ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବଢ଼ିଥିବା ବ୍ୟବସାୟୀଙ୍କ ପକ୍ଷରୁ ପ୍ରକାଶ। ସେହିପରି ମାଟିରେ ପ୍ରସ୍ତୁତ କଣ୍ଢେଇ ଦୀପ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ପରିଲକ୍ଷିତ ହୋଇଛି। ସ୍ବଦେଶୀ ଏବଂ ସ୍ଥାନୀୟ କାରିଗରଙ୍କ ଦ୍ବାରା ନିର୍ମିତ ଏହି ସବୁ ମାଟି ଦୀପ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରୁଥିବା ଚର୍ଚ୍ଚା ହେଉଛି।

କରୋନା କାରଣରୁ ସବୁକିଛି ମାନ୍ଦା ଚାଲିଛି। ମାତ୍ର ଏହି ବର୍ଷ ଦୀପାବଳିରେ ଚାଇନା ଦ୍ରବ୍ୟ ବନ୍ଦ ଏବଂ ବାଣଫୁଟା ବ୍ୟାନ୍ ଥିବାରୁ ମାଟିଦୀପର ଚାହିଦା ବୃଦ୍ଧି ପାଇବା ନେଇ ଆଶାବ୍ୟକ୍ତ କରିଛନ୍ତି ତକତପୁରରେ ମାଟିଦୀପ ତିଆରି କରୁଥିବା କାରିଗର ସମାଜ। ଏନେଇ ବାରିପଦାର ବାଲେଶ୍ବର ଗୋଲେଇ ରୋଡ୍ ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ମାଟିଦୀପ ବ୍ୟବସାୟୀମାନେ ମଧ୍ୟ ମତ ରଖିଛନ୍ତି।

ଲଭଲୀ ପ୍ରଜାପତି, ମାଟିଦ୍ବୀପ ବ୍ୟବସାୟୀ, କେସି ସର୍କଲ ଗୋଲେଇ ରୋଡ
ଚଳିତ ଦୀପାବଳିରେ ଆମେ ୨ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ପର୍ଯ୍ୟନ୍ତ ମାଟି ଦୀପ ପ୍ରସ୍ତୁତ କରିଛୁ। ଭିନ୍ନ ଭିନ୍ନ ଡିଜାଇନ୍ ଓ ରଙ୍ଗ ବେରଙ୍ଗର ଦ୍ବୀପ ଉପରେ ସମସ୍ତଙ୍କ ଆଗ୍ରହ ରହିଛି। ପୂର୍ବ ବର୍ଷ ଅପେକ୍ଷା ଏଥର ମାଟି ଦୀପର ବିକ୍ରିବଟା ବଢ଼ିବାର ଆଶା ରଖିଛୁ।
ଗୁରୁଚରଣ ରାମ, କେସି ସର୍କଲ ଗୋଲେଇ
ସବୁବର୍ଷ ଅପେକ୍ଷା ଏବର୍ଷ ମାଟିଦୀପ ପ୍ରତି ସମସ୍ତଙ୍କ ଆଗ୍ରହ ବଢ଼ିଛି। ପୂର୍ବ ବର୍ଷ କରୋନା ନଥିଲା। ତେଣୁ ଯେଉଁ ପରିମାଣରେ ବିକ୍ରି ହୋଇଥିଲା ଏବର୍ଷ କରୋନା ସତ୍ତ୍ବେ ସେହିପରି ବେପାର ହେବାର ଆଶା ରହିଛି।
ତନ୍ବୀ ତପସ୍ବିନୀ ଜେନା, ଶିକ୍ଷୟିତ୍ରୀ, ବାରିପଦା
ଆବହମାନ କାଳରୁ ମାଟି ଦୀପର ବ୍ୟବହାର ହୋଇଆସୁଥିଲା। ଆଲୋକର ପର୍ବ ଦୀପାବଳିରେ ମାଟିର ଦୀପରୁ ବାହାରୁଥିବା ଉର୍ଜା ଅନ୍ଧକାରକୁ ଦୂର କରି ନବଜାଗରଣର ଜ୍ଞାନ ଉଦ୍ଭାସିତ କରିଥାଏ। ଘର ସୁନ୍ଦର ହେବ ମନ ଆନନ୍ଦ ହେବ। ଚାଇନା ଦ୍ରବ୍ୟର ବ୍ୟବହାରରେ ଏପରି ଆନନ୍ଦ ଅନୁଭବ ହୋଇନଥାଏ।

ସମ୍ବନ୍ଧିତ ଖବର