ଦୀପାବଳି ପାଇଁ ଗ୍ରାମାଞ୍ଚଳର ବ୍ୟବସାୟୀଙ୍କ ସହରୀ ବଜାରରେ ଭିଡ଼: ଗ୍ରାହକ କିଣୁଛନ୍ତି ପୂଜା ସାମଗ୍ରୀ

ବାଲେଶ୍ୱର: ରାତି ପାହିଲେ ଆଲୋକର ପର୍ବ ‘ଦୀପାବଳି’। ଏଥିପାଇଁ ବାଲେଶ୍ୱର ସହରରେ ବାଣଦୋକାନ, ମାଟି ଦୀପ, ପୟାକାଠି (କାଉଁରିଆ କାଠି), ମହମବତୀ, ଓ କଇଁ ଫୁଲର ପସରା ବସିଛି। ବିଭିନ୍ନ ଗ୍ରାମାଞ୍ଚଳରୁ ବେପାରୀମାନେ ଆସି ସହରର ଫାଣ୍ଡି ଛକ, ମୋତିଗଂଜ ଏବଂ ନୂଆବଜାର ଅଞ୍ଚଳରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ବ୍ୟବସାୟୀମାନେ ସହରର ଭିଡ଼ ଥିବା ଛକଗୁଡ଼ିକରେ ଭଲ ବ୍ୟବସାୟ କରୁଥିବା ପରିଲକ୍ଷିତ ହେଉଛି।

କାର୍ତ୍ତିକ ଅମାବାସ୍ୟା ତିଥିରେ ରବିବାର ପୂର୍ବ ପୁରୁଷଙ୍କ ଶ୍ରାଦ୍ଧ ଉଦ୍ଦେଶ୍ୟରେ ଦରକାର ହେଉଥିବା ପୟାକାଠି ବିଡ଼ା ପ୍ରତି ଦଶ ଟଙ୍କାରେ ବିକ୍ରି ହେଉଛି। ସେହିପରି ୧୦ଟି ଛୋଟ ମାଟି ଦୀପ ୨୦ ଟଙ୍କା, ବଡ଼ ଦୀପ ୨୦ରୁ ୩୦ ଟଙ୍କାରେ ଗ୍ରାହକ କିଣୁଛନ୍ତି।

କଇଁ ଫୁଲ ମା’କାଳୀଙ୍କ ସବୁଠାରୁ ଅଧିକ ପ୍ରିୟ ଜିନିଷ। ସେଥିପାଇଁ ବଜାରରେ ଏହି ଫୁଲର ଚାହିଦା ରହୁଛି। ୩ଟି କଇଁ ଫୁଲକୁ ଗ୍ରାହକ ୧୦ ଟଙ୍କା ଦେଇ କିଣୁଛନ୍ତି। ସରକାରଙ୍କ ବାଣ ବିକ୍ରି କଟକଣା ଥିବାରୁ ସହରରେ ପୁରୁଣା ଷ୍ଟାଡିୟମ ଏବଂ ଆଇଟିଆଇ ପଡିଆ ଠାରେ ୧୦୦ରୁ ଉର୍ଦ୍ଧ୍ଵ ଷ୍ଟଲରେ ବିଭିନ୍ନ କିସମର ବାଣ ବିକ୍ରି ଚାଲିଛି। ଦୁଇଦିନ ଲଗାଣ ବର୍ଷାରେ ବାଣ ବେପାର ମାନ୍ଦା ହୋଇଥିଲା କିନ୍ତୁ ଆଜି ପାଗ ଶୁଖିଲା ଥିବାରୁ ଷ୍ଟଲଗୁଡ଼ିକରେ ଲୋକଙ୍କ ଭିଡ଼ ଜମିବାର ଦେଖିବାକୁ ମିଳଛି। ୧୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ଦାମ ରହିଥିବା ବାଣର ପସରା ମେଳାଇଛନ୍ତି ଦୋକାନୀମାନେ। ବାଣ ବଜାରକୁ ଯିବା ପାଇଁ ରାସ୍ତା ଜାମ ସାଙ୍ଗକୁ ପଡିଆରେ ମଧ୍ୟ ବେଶ ଭିଡ଼ ଜମିଛି।

ସମ୍ବନ୍ଧିତ ଖବର