ଆସିଲାଣି ଦୀପାବଳୀ , ଖୋଜା ପଡ଼ିଲାଣି ମାଟି ଦୀପ

ବାଲିଅନ୍ତା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳୀ । ପୁରପଲ୍ଲୀର ପ୍ରତି ପରିବାରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରି ବଡ଼ବଡ଼ୁଆ ଡାକିବା ପରଂପରା ଅନ୍ୟ ଏକ ବିଶେଷତ୍ବ ରହିଛି । ତେଣୁ ଦୀପାବଳୀ ଅବ୍ୟବହିତ ପୂର୍ବରୁ ଲୋକମାନେ ଏନେଇ ପ୍ରସ୍ତୁତି ଚଳାଇଛନ୍ତି । ମହାବିପତ୍ତି କରୋନା ପାଇଁ ଏବର୍ଷ ଦୀପାବଳୀ ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ସରକାର ଘୋଷଣା କରିଛନ୍ତି । ତେଣୁ ବାଣ ବ୍ୟବସାୟ ଉପରେ କଟକଣା ଜାରି କରାଯାଇଛି । ବାଣଫୁଟାଇବା ଓ କ୍ଷତିକାରକ ଝିକମିକ ଲାଇଟ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ମାଟି ଦୀପ ଜାଳି ଦୀପାବଳୀ ପାଳନ କରିବାକୁ ଲୋକମାନେ ସ୍ଥିର କରିଛନ୍ତି । ଏବର୍ଷ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କୁମ୍ଭାର ପରିବାର ଆଶା ବାନ୍ଧିଛନ୍ତି ।

ତେଣୁ ଦୀର୍ଘ ୯ ମାସଧରି କରୋନା ଲକଡାଉନ ଓ ସଟଡାଉନ ପାଇଁ ରୋଜଗାର ହରାଇଥିବା କୁମ୍ଭକାର ପରିବାର ମାଟିଦୀପ ଗଢ଼ିବାରେ ଲାଗିପଡ଼ିଛନ୍ତି । ଏହି କୌଳିକ ବୃତ୍ତିକୁ ଆଧାର କରି ଦୀପାଳୀରେ ଅଧିକ ଦୀପ ତିଆରି କରି ଭଲ ଦି‘ ପଇସା ରୋଜଗାର କରିବା ଆଶାରେ କୁମ୍ଭକାର ପରିବାରର ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଦିନରାତି ଦୀପ ଗଢ଼ୁଛନ୍ତି । ତେଣୁ ଦୀପାବଳୀ ପୂର୍ବରୁ ଆଗୁଆ ଦୀପ ସଂଗ୍ରହ କରିବା ଲାଗି ଲୋକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖା ଦେଲାଣି । ବାଲିଅନ୍ତା , ବାଳକାଟି ମୁଦୁଲି ସାହି , ବ୍ରାହ୍ମଣସୁଆଁଲୋ , ଦଣ୍ଡିଲୋ , ମହୁଖଣ୍ଡା , କାକରୁଦ୍ରପୁର ଓ ଆଣ୍ଠୁଆରି , ଭିଙ୍ଗାରପୁର , ବାଲିକାନ୍ଥିଆ , ଜଗନ୍ନାଥପୁର , ସତ୍ୟଭାମାପୁର ଓ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଞ୍ଚଳରେ ଥିବା କୁମ୍ଭକାର ସାହିରେ ଲୋକ ଭିଡ଼ ଜମାଇଲେଣି । ମଠ,ମନ୍ଦିର ଓ ପୂଜାସାମଗ୍ରୀ ଦୋକାନୀମାନେ ବହୁତମାତ୍ରାରେ ଦୀପ କିଣି ନେଉଥିବା ଦେଖିବାକୁ ମିଳୁଛି । ମନୋଜ କୁମାର ମୁଦୁଲି , ସଶ୍ମିତା ମୁଦୁଲି , ଅପସରା ମୁଦୁଲି , କୈଳାଶ ମୁଦୁଲି ଓ ପ୍ରକାଶ ମୁଦୁଲିଙ୍କ କହିବାନୁଯାୟୀ ଜଣେ ଜଣେ କାରିଗର ୪୦ରୁ ୫୦ ହଜାର ପର୍ଯ୍ୟନ୍ତ ଦୀପ ଗଢ଼ି ସାରିଲେଣି ।

ଦୀପର ଆକାର ଓ ସୌନ୍ଦର୍ଯ୍ୟ ନେଇ ହାତଗଢ଼ା ଛୋଟ ଦୀପ ଗୋଟା ୧ ଟଙ୍କାରୁ ୫ ଟଙ୍କା , ୧୦ ଟଙ୍କା ଏବଂ ଚକ ତିଆରି ବଡ଼ଦୀପ ଗୋଟା ୩୦ରୁ ୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା କହିଛନ୍ତି । କରୋନା ଲକଡାଉନ ପାଇଁ , ଗଣେଷ ପୂଜା , ଭାଲକୁଣୀ ମୂର୍ତ୍ତି ଓ ଦୁର୍ଗାପୂଜା ବେଳେ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା । ସରକାରୀସ୍ତରରେ ସେମାନଙ୍କୁ କୌଣସି ଆର୍ଥିକ ସହାୟତା ମିଳିଲା ନାହିଁ । ତେଣୁ ଦୀପାବଳୀ ଅମାବାସ୍ୟା ବେଳେ ଯଦି ବର୍ଷା ପବନ ନହୁଏ ଓ ପାଗ ଭଲ ରହେ ତା’ ହେଲେ ଭଲ ରୋଜଗାର ହେବ ବୋଲି ଆର୍ଥିକ ସଂକଟ ଦେଇ ଗତି କରୁଥିବା ସଂପୃକ୍ତ କୁମ୍ଭକାର ଆଶା ରଖିଛନ୍ତି ।

ସମ୍ବନ୍ଧିତ ଖବର