ନୀଳଗିରି: ଜଣେ ଦିବ୍ୟାଙ୍ଗ ଆବେଦନ କରି ମଧ୍ୟ ଦିବ୍ୟାଙ୍ଗ ସହାୟତା କି ଭତ୍ତା; କିଛି ପାଉ ନଥିଲେ। ଗୁରୁଣ୍ଡି ଗୁରୁଣ୍ଡି ଯାଇ ପଞ୍ଚାୟତ ଓ ବ୍ଲକ୍‌ ଅଧିକାରୀଙ୍କୁ ଗୁହାରି କଲେ ବି କିଛି ଫଳ ମିଳୁ ନଥିଲା। ଏପରି ସମୟରେ ଗତ ୮ ତାରିଖ ଦିନ ସେ ବିଡିଓଙ୍କୁ ଭେଟି ନିଜ ଦୁଃଖ ଜଣାଇଥିଲେ। ବିଡିଓ ଦୁଃଖ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ କିଛି ନବୁଝିବାରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଫଳରେ ଜିଲ୍ଲାପାଳ ଆଜି ତାଙ୍କୁ ଏକ ଟ୍ରାଇସାଇକେଲ୍‌ ପ୍ରଦାନ କରିଛନ୍ତି। ନୀଳଗିରି ବ୍ଲକ୍‌ କେପିଲାଖରାଜ ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ରୁହିଆ ସିଂ’ଙ୍କ ପୁଅ ବିଜୟ ସିଂ (୫୧) କିଛି ବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ତାଙ୍କର ଦୁଇଗୋଡ଼ କାମ କରି ନଥିଲା। ସେ ଦିବ୍ୟାଙ୍ଗ ପାଲଟିଯାଇଥିଲେ। ଏବେ ପରିବାର ପ୍ରତିପୋଷଣ ପାଇଁ ସେ ଭିକ୍ଷା ମାଗନ୍ତି। ଦିବ୍ୟାଙ୍ଗ ଭତ୍ତା ମିଳିଲେ ଚଳିବା ଟିକେ ସହଜ ହେବ ଭାବି ବିଜୟ ବାରମ୍ବାର ଆବେଦନ କରୁଛନ୍ତି। ହେଲେ ତାଙ୍କୁ ଭତ୍ତା ମିଳୁନି।

Advertisment

ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ପ୍ରମାଣପତ୍ର ଦିଆଯାଉନି। ଗତ ଜୁଲାଇ ୩୧ ତାରିଖ ଦିନ ଭୀମଭୋଇ ଦିବ୍ୟାଙ୍ଗ ଚିହ୍ନଟ ଶିବିରରେ ତାଙ୍କ ନାମ ୨୧୦୮/୧୫୧୦୪୪୪ ନମ୍ବରରେ ପଞ୍ଜିକୃତ ହୋଇଥିଲେ ବି କିଛି ଫଳ ମିଳିନି। ଗତ ୮ ତାରିଖ ଦିନ ମଧ୍ୟ ଦିବ୍ୟାଙ୍ଗ ବିଜୟ ବିଡିଓ ରାହୁଲ ମଣ୍ଡଳଙ୍କ ନିକଟକୁ ଗୁହାରି କରିବା ପାଇଁ ଯାଇଥିଲେ। ବିଡିଓ ଶ୍ରୀ ମଣ୍ଡଳ ବିଜୟଙ୍କୁ ତୁରନ୍ତ ଏକ ଟ୍ରାଇସାଇକେଲ୍‌ ଦେବା ସହ ସେ କିପରି ଶୀଘ୍ର ଭତ୍ତା ପାଇବେ, ସେନେଇ ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ପୂରଣ ହୋଇ ନଥିଲା। ଫଳରେ ନୀଳଗିରି ରାଜବଂଶର ଜ୍ୟୋତ୍ସ୍ନାଦେବୀ ମର୍ଦ୍ଦରାଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଫଳ​ରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଆଜି ବିଜୟଙ୍କୁ ଏକ ଟ୍ରାଇସାଇକେଲ୍‌ ପ୍ରଦାନ କରିଛନ୍ତି। ସେହିପରି ଆସନ୍ତା ୧୫ ତାରିଖ ଦିନ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ୧୬ ତାରିଖ ଦିନ ଭତ୍ତା ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଧେ କହିଛନ୍ତି।