ଝାରସୁଗୁଡ଼ା: ଜିଲ୍ଲାରେ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗର ବିଭିନ୍ନ କାରନାମା ନିତିଦିନ ଖବରକାଗଜର ପୃଷ୍ଠାମଣ୍ଡନ କରୁଛି। ଗୁରୁବାର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଅଚାନକ କିର୍ମିରା ବ୍ଲକ୍‌ ଗସ୍ତ କରିଥିବା ବେଳେ ବି ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା। ହାୟର ସେକେଣ୍ଡାରୀ ସ୍କୁଲର ୬ ଜଣ ଅଧ୍ୟାପକଙ୍କ ମଧ୍ୟରୁ ଅଧ୍ୟକ୍ଷଙ୍କ ସମେତ ୪ ଜଣ ବିନା ସୂଚନାରେ ଅନୁପସ୍ଥିତ ଥିବା ଜିଲ୍ଲାପାଳ ଦେଖିବାକୁ ପାଇଥିଲେ। ବାଳିକା ଶୌଚାଳୟ ପରିଷ୍କାର ପରିଚ୍ଛନ୍ନ ନଥିବା, ଶୌଚାଳୟରେ ଡଷ୍ଟବିନ୍ ନଥିବା, ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ସାରଣୀ ଅନୁସରଣ କରାଯାଇନଥିବା ଲକ୍ଷ୍ୟ କରି ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନୁଷ୍ଠାନରୁ ଅବସର ନେଇଥିବା କର୍ମଚାରୀମାନଙ୍କର ଇପିଏଫ୍ ପାଉଣା ପାଇ ନଥିବା ଅଭିଯୋଗ ନେଇ ପଚାରିଥିଲେ ହେଁ ଅଧ୍ୟକ୍ଷ ନଥିବାରୁ ଜିଲ୍ଲାପାଳ ସେସମ୍ପର୍କରେ ସୂଚନା ବି ପାଇପାରି ନଥିଲେ।

Advertisment

ଏନେଇ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ୪୮ ଘଣ୍ଟା ମଧ୍ୟରେ କୈଫିୟତ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅରଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସମୟରେ ଉଭୟ କେନ୍ଦ୍ରର ଡାକ୍ତର ବିନା ସୂଚନାରେ ଦିନ ୧୨ଟା ସୁଦ୍ଧା ଅନୁପସ୍ଥିତ ରହିଥିବା ଜିଲ୍ଲାପାଳ ‌ଦେଖିବାକୁ ପାଇଥିଲେ। ଏନେଇ ଉକ୍ତ ଡାକ୍ତରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୂତନ କାର୍ଯ୍ୟାଳୟ ପାଇଁ ପିଡବ୍ଲୁଡି ଓ ଟିପିଡବ୍ଲ୍ୟୁଓଡି କର୍ତ୍ତୃପକ୍ଷଙ୍କୁ ଚଳିତ ମାସ ଶେଷ ସୁଦ୍ଧା ବିଦ୍ୟୁତ ସଂଯୋଗୀକରଣ ତଥା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ସଠିକ ଭାବେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ଜିଲ୍ଲାପାଳ ଏହି ଅବସରରେ ଅର୍ଡା କଲେଜରେ ମିସନ ଶକ୍ତି କାର୍ଯ୍ୟ ପରିଚାଳନା ଓ ରୂପାନ୍ତରଣ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ।