ଲୋକଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ବିକାଶ ପାଇଁ କାମ କରିବି: ଆଇଏଏସ୍‌ ଅଙ୍କିତ ମିଶ୍ର

ମନୋବଳ ହରାଇ ନଥିଲେ ଅଙ୍କିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଙ୍କିତ ଶଙ୍କର ମିଶ୍ର ଚଳିତ ସିଭିଲ ସର୍ଭିସ ପରୀକ୍ଷାରେ ୨୯୪ ର‍୍ୟାଙ୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୨୦୧୬ ମସିହାରୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ବର୍ତ୍ତମାନ ଚତୁର୍ଥ ଥରରେ ସେ ପାସ କରିଛନ୍ତି। ୨୦୧୭ ମସିହାରେ କେବଳ ପ୍ରିଲିମିନାରି ପାସ କରିଥିଲେ। ୨୦୧୮ ମସିହାରେ ସାକ୍ଷାତ ପରୀକ୍ଷାରେ ୧୮ ମାର୍କ କମ ପାଇ କଟି ଯାଇଥିଲେ। ୨୦୧୯ ମସିହାରେ ସିଭିଲ ସର୍ଭିସରେ ଭୂଗୋଳ ବିଷୟ ରଖି କୃତକାର୍ଯ୍ୟ ହୋଇଛନ୍ତି।

୨୦୧୮ ମସିହାରେ ତାଙ୍କ ସାଥିମାନେ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ବେଳେ ସେ କଟି ଯାଇଥିବାରୁ ନିରୁତ୍ସାହିତ ହୋଇ ଯାଇଥିଲେ। ପରେ ତାଙ୍କ ବାପା ଅବସରପ୍ରାପ୍ତ ଅଧ୍ୟାପକ ଅବନୀ ଭୂଷଣ ମିଶ୍ର, ମା’ ସଂଯୁକ୍ତା ମିଶ୍ର ଓ ଭଉଣୀ ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଅର୍ପିତା ମିଶ୍ର ଓ ସାଥିମାନଙ୍କ ପ୍ରେରଣା ଯୋଗୁଁ ପୁର୍ନବାର ପ୍ରସ୍ତୁତି ପାଇଁ ଅଣ୍ଟା ଭିଡିଥିଲେ। ଦୈନିକ ୧୦ ଘଣ୍ଟା ଧରି ପରିଶ୍ରମ କରୁଥିଲେ। ସିଭିଲ ସର୍ଭିସରେ ସଫଳ ହେବା ପାଇଁ କଠିନ ପରିଶ୍ରମ, ମାନସିକ ପ୍ରସ୍ତୁତି ଓ ଅଦମ୍ୟ ଇଛା ସଫଳତାର ମନ୍ତ୍ର ଅଟେ ବୋଲି କହିଥିଲେ।

କଳାହାଣ୍ଡି ଭଳି ବହୁ ଅଞ୍ଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷାର ସୂଚକାଙ୍କ ନୈରାଶ୍ୟ ଜନକ ଅଟେ। ଭବିଷ୍ୟତରେ ଏ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ତାଙ୍କ ଘର ଭବାନୀପାଟଣା ସହରସ୍ଥିତ ସତ୍ୟମ ସିିିନେହଲ ନିକଟରେ ଅବସ୍ଥିତ। ସେ ଭବାନୀପାଟଣା ବିମଳା କନଭେଣ୍ଟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ, ବିଶାଖାପାଟଣା ଶ୍ରୀ ଚୈତନ୍ୟ କଲେଜରେ ଯୁକ୍ତ ଦୁଇ ଓ ରାୟପୁର ଏନଆଇଇଟି ମାଇନିଂ ଇଂଜିନିୟରିଂ ପାସ କରିଛନ୍ତି। ପରେ ଜବଲପୁର ଦାମ୍ବୋ ଠାରେ ହାଇଡେଲ ୱର୍କ ସିମେଣ୍ଟ ଇଣ୍ଡିଆ କମ୍ପାନିରେ ଚାକିରି କରିଥିଲେ। ନୂଆଦିଲ୍ଲୀରେ ୬ ମାସ କୋଚିଂ ପରେ ନିଜେ ପ୍ରସ୍ତୁତି ଆରମ୍ଭ କରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର