କାରସାଇଡ଼ ମାରିବାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଆକ୍ରମଣ, ଜଗା-କାଳିଆ ଅଟକ

ବାଲିଅନ୍ତା: ଆଜି ସଂଧ୍ୟା ସାଢ଼େ ୫ଟା ସମୟରେ ନଖରା–ନିଆଳି ମୁଖ୍ୟ ରାସ୍ତାର ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ ନିକଟରେ କାରସାଇଡ଼ ମାରିବାକୁ କେନ୍ଦ୍ର କରି ଭୀଷଣ ଗଣ୍ଡଗୋଳ ହୋଇଛି । ଦୁଇ ଜଣ ଯୁବକ ଜଣେ ଡାକ୍ତରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣର ଶିକାର ଡାକ୍ତର ହେଲେ ନଖରା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ପ୍ରମୋଦ କୁମାର ପରିଡ଼ା (୪୦) । ପ୍ରମୋଦଙ୍କୁ ମୁଣ୍ଡ ଗଭୀର ଭାବେ କ୍ଷତାକ୍ତ ହେବା ସହ ଶରୀରର ଗଭୀର ଆଘାତ ଲାଗିଛି । ମୁଣ୍ଡରୁ ପ୍ରଚୁର ରକ୍ତଶ୍ରାବ ହେବା ଫଳରେ ପ୍ରମୋଦ ଘଟଣାସ୍ଥଳରେ ବେହୋସ ହୋଇପଡ଼ିଥିଲେ । ତୁରନ୍ତ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ମହୀଧରପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଳାଇଛି । ଏସଂପର୍କରେ ପ୍ରମୋଦ ପାହାଳ ଫାଣ୍ଡିରେ ସଂଧ୍ୟାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ପୁଲିସ ଆକ୍ରମଣକାରୀ ଦୁଇ ଯୁବକ ଜଗା ଓ କାଳିଆଙ୍କୁ ଉଠାଇ ନେଇ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ପ୍ରମୋଦ ଓଲଟପୁର ହାଡ଼ଭଙ୍ଗା ହସ୍ପିଟାଲରେ ଅସ୍ଥିଶଲ୍ୟ ବିଭାଗରେ ଜଣେ ଡାକ୍ତର ଭାବେ କାର୍ଯ୍ୟ କରନ୍ତି । ଆଜି ଅପରାହ୍ନରେ ଡ୍ୟୁଟି ସାରି ହସ୍ପିଟାଲରୁ କାର ଯୋଗେ ନଖରା ରାସ୍ତାରେ ଫେରୁଥିବା ବେଳେ ଏକ ବିବାହ ଶୋଭାଯାତ୍ରା ଯାଉଥିବା ଯୋଗୁ ରାସ୍ତା ଜାମ ହୋଇଯାଇଥିଲା । ସେହି ସମୟରେ ଅଭିଯୁକ୍ତ ଜଗା ଓ କାଳିଆ ଡାକ୍ତରଙ୍କ କାରକୁ ଅଟକାଇ ଗାଡ଼ି ସାଇଡ଼ ମାରିବାକୁ କହିଥିଲେ । ଅଭିଯୋଗ ଅନୁସାରେ ଏନେଇ ଡାକ୍ତରଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଗା ଓ କାଳିଆ ସେଠାରେ ପଡ଼ିଥିବା ପଥର ଓ ଇଟାରେ ତାଙ୍କ କାରକୁ ଭଙ୍ଗାରୁଜା କରିବା ସହ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ପ୍ରମୋଦ ଚେତାଶୂନ୍ୟ ହୋଇପଡ଼ିଥିଲେ ।

ସମ୍ବନ୍ଧିତ ଖବର