ଡାକ୍ତର ବିମଳ ରଥଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଖୋର୍ଦ୍ଧା: ବିମଳ ରଥ କେବଳ ଜଣେ ନିସ୍ୱାର୍ଥପର ଡାକ୍ତର ନଥିଲେ, ସେ ଏକାଧାରରେ ଜଣେ ଦରଦୀ ମଣିଷ, ଖୋର୍ଦ୍ଧାର ବିକାଶର ଜଣେ ପ୍ରମୁଖ ଉଦ୍‌ଘୋଷକ, ଭାଷା-ସଂସ୍କୃତି ପ୍ରେମୀ ଥିଲେ। ଏଭଳି ଜଣେ ସଂପୂର୍ଣ୍ଣ ମଣିଷପଣିଆର ମଣିଷଟିଏ ଆଜି-କାଲି ବିରଳ। ଆଜି ଖୋର୍ଦ୍ଧାର ପରିଚିତ ଡାକ୍ତର ତଥା ଖୋର୍ଦ୍ଧା ‘ସମ୍ବାଦ’ ସାହିତ୍ୟଘର ପ୍ରତିଷ୍ଠାତା ଆବାହକ ଡାକ୍ତର ବିମଳ ରଥଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସହରର ଅନେକ ବରିଷ୍ଠ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଏହା କହିଛନ୍ତି। ଡଃ. ବିମଳ ରଥ ସ୍ମୃତି କମିଟି ପକ୍ଷରୁ କମିଟିର ଆବାହକ କବିତାରାଣୀ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ସମରେନ୍ଦ୍ର ବଳିଆରସିଂହ ସଭାର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏଥିରେ ସମାଜସେବୀ ଅଖିଳ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ରତ୍ନାକର ରଣସିଂହ, କୃଷ୍ଣଚନ୍ଦ୍ର ରଣସିଂହ, ଡଃ. ବୃନ୍ଦାବନ ପଣ୍ଡା, ଜ୍ଞାନରଂଜନ ଦାସ, ଦେଶବଂଧୁ ମିଶ୍ର, ମନମୋହନ ମିଶ୍ର, ଡଃ. ଅଶୋକ କୁମାର ରାୟସିଂହ, ପର୍ଶୁରାମ ବଳିଆରସିଂହ, ତ୍ରିନାଥ ପାଲଟାସିଂହ, ଯୋଗୀନାଥ ଶ୍ରୀଚନ୍ଦନ, ରବୀନ୍ଦ୍ର ଚନ୍ଦ୍ର ଶତପଥୀ, ବୀର କିଶୋର ସିଂହ, ଧରଣୀଧର ଛୋଟରାୟ, ପରେଶ ଚନ୍ଦ୍ର ପଟ୍ଟନାୟକ, ସନାତନ ପରିଡ଼ା, ଧନେଶ୍ୱର ଦାସ, ନିରଂଜନ ମହାପାତ୍ର, ବ୍ରହ୍ମଚାରୀ ଦାସ, ଆର୍ଯ୍ୟ ମିଶ୍ର, ଅର୍ଶୁଲ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ଡ଼ଃ. ରଥଙ୍କ ସ୍ମୃତିଚାରଣ କରିଥିଲେ।

ଡଃ. ବିମଳ ରଥ ନିଜ ଚିକିତ୍ସକ ବୃତ୍ତିରେ କୌଣସି ରୋଗୀଙ୍କୁ ଅର୍ଥ ମାଗୁନଥିଲେ, ବରଂ ଗରିବ ରୋଗୀକୁ ସମସ୍ତ ଆର୍ଥିକ ଓ ଔଷଧ ଆଦି ସହାୟତା ଦେଉଥିଲେ। ଖୋର୍ଦ୍ଧା ଜିଲ୍ଲା ଗଠନ ଆନନ୍ଦୋଳନ ଠାରୁ ଜିଲ୍ଲାର ବିକାଶ କ୍ଷେତ୍ରରେ ପଦକ୍ଷେପ ନେଇଥିବା ସ୍ୱଳ୍ପ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଜଣେ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜଣେ ବିଶ୍ୱସ୍ତ ଭାବେ ଅଂଚଳର ବିକାଶକୁ ଗୁରୁତ୍ୱ ଦେବା ସହ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭାବେ ଆମ ଓଡ଼ିଶା ଅନୁଷ୍ଠାନର ଖୋର୍ଦ୍ଧା ଜିଲ୍ଲା ଆବାହକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଉଦ୍ୟାନର ନିର୍ମାଣରେ ସେ ଜଣେ ବିନ୍ଧାଣୀ ଥିଲେ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ। ରାଜ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ଡା ରଥଙ୍କ ନାମରେ ଖୋର୍ଦ୍ଧାରେ ହେବାକୁ ଥିବା ବିଜ୍ଞାନ ପାର୍କର ନାମକରଣ, ଏକ ପ୍ରତିମୂର୍ତିର ସ୍ଥାପନକୁ କାର୍ଯ୍ୟକାରୀ କରିବା ଏବଂ ପ୍ରତିବର୍ଷ ନିୟମିତ ଭାବେ ଡଃ. ରଥଙ୍କ ସ୍ମୃତିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା କରିବାକୁ ସଭାରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ପ୍ରଦୀପ୍ତ କୁମାର ଦାସ, ପ୍ରଦୋଷ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ହୋତା, ପ୍ଲାବନ ପଟ୍ଟନାୟକ, ଗଦାଧର ରଥ, ହିରଣ୍ୟ ମଙ୍ଗରାଜ, ରାଧାକାନ୍ତ ମାନସିଂହ, ବିଶ୍ୱରଂଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଇଂ ଅରୁଣ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର