ଲେବର ରୁମ୍‌କୁ ଯିବାକୁ ନ ଦେବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲେ ପ୍ରସୂତୀଙ୍କ ସ୍ୱାମୀ, ଥାନାରେ ଅଭିଯୋଗ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରସୂତୀଙ୍କ ସ୍ୱାମୀ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେବାର ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ତାରାତାରିଣୀ ଅଞ୍ଚଳରୁ ଜଣେ ପ୍ରସୂତୀଙ୍କୁ ଧରି  ୫ଜଣ ସମ୍ପର୍କୀୟଙ୍କ ସହିତ ତାଙ୍କ ସ୍ୱାମୀ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଆସିଥିଲେ। ଏଠାରେ ଉକ୍ତ ପ୍ରସୂତୀଙ୍କୁ ପ୍ରସବ ପାଇଁ ଲେବର ରୁମ୍‌ରେ ରଖା ଯାଇଥିଲା। ତେବେ ଲେବର ରୁମ୍‌କୁ ତାଙ୍କ ସ୍ତ୍ରୀ ସହିତ ସ୍ୱାମୀ ତାରିଣୀ ପ୍ରସାଦ ଯିବାକୁ କହିଥିଲେ। କିନ୍ତୁ ଡାକ୍ତର ଓ ନର୍ସ ତାରିଣୀ ପ୍ରସାଦଙ୍କୁ ବୁଝାଇଥିଲେ। ଲେବର ରୁମ୍‌ରେ ସମସ୍ତେ ମହିଳା ଅଛନ୍ତି, ଏଭଳି ସ୍ଥାନକୁ କୌଣସି ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ବୋଲି ସେମାନେ କହିଥିଲେ।

ଏହା ସତ୍ତ୍ୱେ ବି ପ୍ରସୂତୀଙ୍କ ସ୍ୱାମୀ ତାରିଣୀ ପ୍ରସାଦ ଲେବର ରୁମ୍‌ ଭିତରକୁ ଯିବାକୁ ଜିଦ୍ ଧରି ବସିଥିଲେ। ଏହାକୁ ନେଇ ଡାକ୍ତର ସକିଲ୍‌ ଖାନ୍‌ ଓ ତାରିଣୀ ପ୍ରସାଦଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇ ଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରସୂତୀଙ୍କ ସ୍ୱାମୀ ତାରିଣୀ ପ୍ରସାଦ ଡାକ୍ତରଙ୍କ କାନକୁ କାମୁଡ଼ି ପକାଇ ଥିଲେ .ବୋଲି ଡାକ୍ତର ଅଭିଯୋଗ କରିଛନ୍ତି। ଫଳରେ ଡାକ୍ତରଙ୍କ କାନ ଛିଣ୍ଡିଯିବା ସହିତ ରକ୍ତସ୍ରାବ ବି ହୋଇଥିଲା। ଏହି ଘଟଣାକୁ ନେଇ ଡାକ୍ତର ସକିଲ୍‌ ଖାନ୍‌ ଥାନାରେ ଏକ ଲିଖିତ ଅଭିଯୋଗ ବି କରିଛନ୍ତି। ଏଥିସହ ଘଟଣାକୁ ସେ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର