ମାଲକାନଗିରି: ମାଲକାନଗିରି ଜିଲ୍ଲାର ଗାଈଗୋରୁ, ଛେଳି ମେଣ୍ଢା ଓ ଘୁଷୁରିଙ୍କ ପାଇଁ ଏବେ ଭଗବାନ ହିଁ ଭରସା। ଜିଲ୍ଲାରେ ୧୩ଟି ପଶୁ ଚିକିତ୍ସାଳୟ ରହିଥିବା ବେଳେ ଡାକ୍ତର ଅଭାବ କାରଣରୁ ଗାଈଗୋରୁଙ୍କ ଚିକିତ୍ସାରେ ବାଧକ ସାଜିଛି। ଜିଲ୍ଲାର ସାତୋଟି ବ୍ଲକରେ ପ୍ରାୟ ୫ ଲକ୍ଷ ଗାଈଗୋରୁ,ଛେଳିମେଣ୍ଢା ଓ ଘୁଷୁରି ରହିଥିବା ବେଳେ ଏମାନଙ୍କୁ ପାଳୁଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। ଜିଲ୍ଲାରେ ୪୨ ଜଣ ସିଡିଭିଓ,ଏସଡିଭିଓ, ଏଡିଭିଓ(ଏଲପି), ଏଡିଭିଓ(ଡିସି), ଏଡିଭିଓ(ଏଡବ୍ଲୁ), ଡିଡି(ଡିଭିଏଚ), ଏଭିଏସ, ବିଭିଓ, ଡିଟିସି ଭିଏଏସ,ବିଏଏସ(ବ୍ଲକ),ଭିଏଏସ(ଏମଭିୟୁ) ରହିବା କଥା କିନ୍ତୁ ବର୍ତ୍ତମାନ ଜିଲ୍ଲାର ୧୩ଟି ସେଣ୍ଟରରେ ମାତ୍ର ୨୩ ଜଣ ରହିଛନ୍ତି।ସାତୋଟି ବ୍ଲକରେ ଥିବା ପଶୁ ଚିକିତ୍ସାଳୟଗୁଡିକରେ ଜଣେ ପଶୁ ଡାକ୍ତର ନାହାନ୍ତି। ସେହିପରି ସାତୋଟି ବ୍ଲକରେ ଆଉ ଗୋଟିଏ ଲେଖାଏଁ ଥିବା ଅନ୍ୟ ପଶୁ ଚିକିତ୍ସାଳୟରେ ମାତ୍ର ୩ ଜଣ ଡାକ୍ତର ରହିଛନ୍ତି। ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଚାରୋଟି ଗ୍ରୁପ କରାଯାଇଛି।
କେଉଁ କର୍ମଚାରୀ କେଉଁ ଗ୍ରୁପରେ ରହିବେ ତାହା ଉଲ୍ଲେଖ କରାଯାଇଛି। ଏ-ଗ୍ରୁପରେ ୪୨ ଜଣ କର୍ମଚାରୀ ଦରକାର ପଡୁଥିବା ବେଳେ ଅଛନ୍ତି ମାତ୍ର ୨୩ ଜଣ।ସେହିପରି ବି-ଗ୍ରୁପରେ ୨ ଜଣ ସ୍ଥାନରେ ଜଣେ,ସି-ଗ୍ରୁପରେ ୮୮ ଜଣଙ୍କ ସ୍ଥନରେ ୨୭ ଜଣ ଏବଂ ଡି-ଗ୍ରୁପରେ ୩୫ ଜଣଙ୍କ ସ୍ଥାନରେ ୧୧ ଜଣ ଅଛନ୍ତି। ତେବେ ମୋଟରେ ୧୬୭ ଜଣଙ୍କ ସ୍ଥାନରେ ଜିଲ୍ଲାର ମାତ୍ର ୬୨ ଜଣ କର୍ମଚାରୀ ରହିଥିବା ଜଣାପଡିଛି।ଆହୁରି ୧୦୫ଟି ପଦବୀ ଏବେ ବି ଖାଲି ପଡିଛି। ଜିଲ୍ଲାରେ ୩,୦୦,୮୧୧ଟି ଗାଈଗୋରୁ ରହିଥିବା ବେଳେ ୬,୪୦୦ ମଇଁଷି,ମେଣ୍ଠା ୨୦,୫୩୨ଟି,ଛେଳି ୧,୨୬,୫୧୬ଟି ଏବଂ ଘୁଷୁରି ୧୭,୦୪୦ଟି ରହିଛି। ତେବେ ଏତେ ସଂଖ୍ୟକ ଗୃହପାଳିତ ପଶୁଙ୍କ ପାଇଁ ଡାକ୍ତର ଅଭାବ ଥିବା ଯୋଗୁଁ ଚିକିତ୍ସା ନପାଇ ବହୁ ପ୍ରାଣୀଙ୍କର ଅକାଳରେ ଜୀବନ ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି। କୋରକୋଣ୍ଡା ବ୍ଲକରେ ସର୍ବାଧିକ ୭୦ ହଜାର ଗାଈଗୋରୁ ରହିଥିବା ବେଳେ ଖଇରୁପଟ ବ୍ଲକରେ ୧୪ ହଜାର ଗାଈଗୋରୁ ରହିଛନ୍ତି।
ବହୁ ପଶୁ ଚିକିତ୍ସାଳୟରେ ଆଟାଣ୍ଡାଣ୍ଟମାନେ ଗାଈଗୋରୁଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।ପଶୁ ଚିକିତ୍ସକଙ୍କ ଅଭାବ ଏବଂ ବହୁ ସମୟରେ କୌଣସି କର୍ମଚାରୀ ପଶୁ ଚିକିତ୍ସାଳୟରେ ରହୁନଥିବାରୁ ଚାଷୀ ଆଗକୁ ଗୃହପାଳିତ ପଶୁଙ୍କୁ ପାଳିବା ପାଇଁ କୁଣ୍ଠାବୋଧ କରୁଥିବା ଦେଖିବାକୁ ମିଳିଛି। ମାଲକାନଗିରି ସହରରେ ଶହ ଶହ ଗାଈଗୋରୁ ଖୋଲାମେଲାରେ ନିଜର ଜୀବନ ବିତାଉଛନ୍ତି।ଲୋକେ ଗାଈ ରଖୁଛନ୍ତି ସିନା କେବଳ କ୍ଷୀର ପାଇଁ। ବହୁ ସମୟରେ ଗାଈଗୋରୁ ଦୁର୍ଘଟଣାଗ୍ରସ୍ତ ହେଲେ ନା ମାଲିକ ତାର ଚିକିତ୍ସା କରାଉଛି ନା ପଶୁ ଚିକିତ୍ସାଳୟ ତରଫରୁ କେହି ନିଜ ଉଦ୍ୟମରେ ଚିକିତ୍ସା କରାଉଛନ୍ତି। ବିଚରା ପ୍ରାଣୀ ଗୋଟିଏ ସ୍ଥାନରେ ପଡି ରହି ମୃତ୍ୟୁକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି। କିଛି ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଅସହାୟ ପ୍ରାଣୀଙ୍କର ଚିକିତ୍ସା କରାଯାଇପାରୁଛି। ଏପରିସ୍ଥଳେ ତୁରନ୍ତ ସମସ୍ତ ପଶୁ ଡାକ୍ତରଖାନାରେ ପଶୁ ଚିକିତ୍ସକଙ୍କ ନିଯୁକ୍ତି ସାଂଗକୁ ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Mkg-Dist-Vetenary-office-1.jpg)