କରୋନା ଯୋଦ୍ଧା ଡାକ୍ତର ସାବତଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ

ଭଞ୍ଜନଗର: କରୋନାରେ ଆକ୍ରାନ୍ତ ହୋଇ ଗତକାଲି ମୃତ୍ୟୁ ବରଣ କରିଥିବା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଶିଶିର କୁମାର ସାବତଙ୍କୁ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ପ୍ରଦାନ କରାଯାଇଛି।

ଜିଲ୍ଲା ସ୍ବାସ୍ଥ ଅଧିକାରୀ ଉମାଶଙ୍କର ମିଶ୍ର, ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ମେଡିକାଲ୍ ସୁପରିଟେଣ୍ଡ୍ ଡ.ସୀତାଂଶୁ ଶେଖର ଶତପଥି, ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରମୁଖ ତାଙ୍କ ମୃତଦେହ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ପୁଲିସ୍ ବାହିନୀ ପକ୍ଷରୁ  ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା।

ତାଙ୍କ ଅନ୍ତିମ ଯାତ୍ରାରେ ମେଡିକାଲର ସମସ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ନର୍ସ, ରକ୍ତ ଭଣ୍ଡାର, ଏଆର୍ଟି ଓ ମେଡିକାଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିଥିଲେ। ଗତକାଲି ସଂନ୍ଧ୍ୟାରେ ଡାକ୍ତର ସାବତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସଂନ୍ଧ୍ୟାରେ ସମୟରେ ତାଙ୍କର ପୁତ୍ର ସୁଦୂର ବାଙ୍ଗାଲୋରରୁ ଆସିବା ପରେ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତାଙ୍କ ପୁଅ ଆସିବା ପରେ ପ୍ରାଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଡାକ୍ତରଖାନା ପରିସରରେ ପରିବାରବର୍ଗଙ୍କ ସମେତ ସମସ୍ତ ମେଡିକାଲ୍ କର୍ମଚାରୀ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ଏହାପରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ନିକଟସ୍ଥ ଶ୍ମଶାନରେ ସ୍ବର୍ଗତ ସାବତଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ସ୍ବର୍ଗତ ସାବତଙ୍କ ଗତ ୧୪ ତାରିଖ ଦିନ ସ୍ବାସ୍ଥ ଖରାପ ହେବା ଯୋଗୁ ତାଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ତା’ପର ଦିନ ଅର୍ଥାତ୍ ୧୫ ତାରିଖ ଦିନ ତାଙ୍କର ସ୍ବାବ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ସେ ହୋମ୍ ଆଇସୋଲେସନ୍ ରହିଥିଲେ। ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନା ପରିସରରେ ଥିବା ଆଇସୋଲେସନ୍ ୱାର୍ଡରେ ରଖାଯାଇ ତାଙ୍କ ସ୍ବାସ୍ଥ ଯାଞ୍ଚ କରାଯାଉଥିବା ବେଳେ ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ବର୍ଗତ ସାବତଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ସେ ଗତ ୨୦୧୭ ମସିହାରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଗାଲେରୀ ମେଡିକାଲର ଡେପୁଟେସନରେ ଆସିଥିଲେ। ସେ ଦୀର୍ଘ ୩୨ ବର୍ଷ ଧରି ଭଞ୍ଜନଗର ବ୍ଳକରେ ଉପାନ୍ତ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦାୟିତ୍ବରେ ରହିଥିଲେ। ନିଜର କାର୍ଯ୍ୟରେ କଦାପି ଅବହେଳା ନକରି ରୋଗୀ ସେବାକୁ ସେ ପ୍ରାଥମିକତା ଦେଉଥିବା ବେଳେ କରୋନା କାଳରେ ମଧ୍ୟ ପ୍ରତିଦିନ ସେ ବିର୍ହି ବିଭାଗରେ କାର୍ଯ୍ୟ କରୁଥିଲେ। ତାଙ୍କର ବିୟୋଗରେ ମେଡିକାଲ କର୍ମଚାରୀମାନେ ସ୍ତବ୍ଧ ହୋଇଯାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲାରେ ୨୩୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ୮ ଜଣ କରୋନାରେ ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ଜଣାପଡିଛି।

ସେଥି ମଧ୍ୟରୁ କରେନା ସହିତ ଲଢେଇ କରି ଜିଲ୍ଲାରେ ପ୍ରାୟ ୩୫ରୁ ଊର୍ଧ୍ବ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇସାରିଲାଣି। ଏହି କରେନା ଯୋଦ୍ଧାମାନଙ୍କ ମଧ୍ୟରେ ଡାକ୍ତର, ପୁଲିସ୍, ଶିକ୍ଷକ, ଅଙ୍ଗନବାଡି କର୍ମୀ,ସରକାରୀ କର୍ମଚାରୀ,ଫାର୍ମାସିଷ୍ଟ୍ ଓ ସରପଞ୍ଚଙ୍କ ବିୟୋଗ ହୋଇଥିବା ବେଳେ ପୁରୁଷୋତ୍ତମ ବ୍ଳକରେ ଜଣେ ଡାକ୍ତରଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବା ସହ ଡାକ୍ତର ସାବତଙ୍କ ଗତକାଲି ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର