ସମ୍ବଲପୁର: ସାରା ଦେଶରେ ଅକ୍ଟୋବର ମାସକୁ ସାଇବର ସଚେତନ ମାସ ଭାବେ ପାଳନ କରାଯାଇ ଆସୁଛି। ଏବର୍ଷ ରାଜ୍ୟ ସରାକରଙ୍କ ପକ୍ଷରୁ ପୂରା ରାଜ୍ୟରେ ସାଇବର୍‌ ଉପରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ ମଧ୍ୟ କରାଯାଇଛି। ସମ୍ବଲପୁର ପୁଲିସ ପକ୍ଷରୁ ମଧ୍ୟ ଅକ୍ଟୋବର୍‌ ମାସରେ ଜିଲ୍ଲା ସାରା ସାଇବର୍‌ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଗଲା। କିନ୍ତୁ ଏତେ ସବୁ ପରେ ମଧ୍ୟ ସାଇବର୍‌ ଠକେଇ ସଂଖ୍ୟା ଥମିବାର ନାଁ ନେଉ ନାହିଁ। ବୁଧବାର ବୁର୍ଲା ଭିମ୍‌ସାର୍‌ରେ ପଢ଼ୁଥିବା ଜଣେ ଡାକ୍ତରୀ ଛାତ୍ରୀ କ୍ରେଡିଟ୍‌କାର୍ଡ ନାଁରେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଡାକ୍ତରୀ ଛାତ୍ରୀଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ୯୦ ହଜାର ଟଙ୍କା କାଟି ନେଇଛି।

Advertisment

ସୂଚନାନୁଯାୟୀ, ବୁଧବାର ଦିନ ସାଢ଼େ ୧୨ଟା ପାଖାପାଖି ଛାତ୍ରୀଙ୍କୁ ଅଜଣା ନମ୍ବରରୁ ଏକ କଲ୍‌ ଆସିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ଆଇସିଆଇସିଆଇ ବ୍ୟାଙ୍କ୍‌ ଅଧିକାରୀ ବୋଲି ପରିଚୟ ଦେଇଥିଲା। ଆକାଉଣ୍ଟରେ ମର୍ଚାଣ୍ଡ୍‌ ଡୋମେଷ୍ଟିକ୍‌ ସର୍ଭିସ୍‌ ଆକ୍‌ଟିଭ୍‌ ଥିବାରୁ କ୍ରେଡିଟ୍‌କାର୍ଡର ପରବର୍ତ୍ତୀ ବିଲ୍‌ରେ ୪୫୦୦ ଟଙ୍କା ଯୋଡ଼ି ହୋଇ ଆସିବ ବୋଲି ସେ କହିଥିଲା। ଏହା ଶୁଣି ଛାତ୍ରୀ ଜଣକ ସର୍ଭିସ୍‌ ଡିଆକ୍‌ଟିଭେଟ୍‌ କରିବା ପାଇଁ କହିଲେ। ସର୍ଭିସ୍‌ ଡିଆକ୍‌ଟିଭ୍‌ କରିବା ପାଇଁ କଲ୍‌ କରିଥିବା ବ୍ୟକ୍ତି ତାଙ୍କୁ ଏକ ଆପ୍‌ ପଠାଇଲା। ଛାତ୍ରୀ ଜଣକ ଆପ୍‌ ଡାଉନ୍‌ଲୋଡ୍‌ କରି ଇନ୍‌ଷ୍ଟଲ୍‌ କରିବା ପରେ ଉକ୍ତ ବ୍ୟକ୍ତି କହିବା ଅନୁଯାୟୀ କ୍ରେଡିଟ୍‌ କାର୍ଡ ନମ୍ବର ଓ ସିଭିଭି ଦେଇଥିଲେ। ତାପରେ ତାଙ୍କ ଆକାଉଣ୍ଟରୁ ୮୯ ହଜାର ୬ ଶହ ୨୮ ଟଙ୍କା କଟି ଯାଇଥିଲା। ଟଙ୍କା କଟିବା ପରେ ଛାତ୍ରୀ ଜଣକ ବ୍ୟାଙ୍କ୍‌ ସହ ଯୋଗାଯୋଗ କରି କାର୍ଡକୁ ବ୍ଲକ କରିଥିଲେ। ଏ ନେଇ ସେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।