କାଳିଆପାଣି: ଯାଜପୁର ଜିଲ୍ଲା ନଗଡ଼ା ପାଖ ଗୁହିଆଶାଳ ତହଡିହ ଜୁଆଙ୍ଗ ବସ୍ତିରେ ୨ ଶିଶୁ ମୃତ୍ୟୁର କାରଣ ଖୋଜିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣାଙ୍କ ନିର୍ଦ୍ଦେଶରେ ମ୍ୟାଲେରିଆ ବିଭାଗର ସ୍ବତନ୍ତ୍ର ଅଧିକାରୀ ଭିବିଡି ସୁନୀଲ କୁମାର ମହାନ୍ତଙ୍କ ନେତୃତ୍ବରେ ୬ ଜଣିଆ ଡାକ୍ତରୀଦଳ ଆଜି ପାହାଡ଼ି ରାସ୍ତାର ଅଧାବାଟରେ ଅଟକିଛନ୍ତି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଆଉମାତ୍ର ଏକ କିଲୋମିଟର ଥିଲା। ଝରଣା ଘୋଷରା ପାଖାପାଖି ଡାଳପତ୍ର ଭାଙ୍ଗିବାର ଶବ୍ଦ ଶୁଣାଯିବା ଓ ଗଛସବୁ ଅସ୍ବାଭାବିକ ଭାବେ ହଲୁଥିବା ଦେଖିବାକୁ ମିଳିଥିଲା। ହାତୀପଲର ବିଚରଣ ଓ ରଡ଼ି ଅସ୍ପଷ୍ଟ ଶୁଣା ଯାଇଥିଲା। ଆଗକୁ ବିପଦ ଆଶଂକାରେ ଏହି ଦଳ ସେଠାରୁ ଫେରି ଆସିବାକୁ ବାଧ୍ୟ ହୋଇଥିବା କହନ୍ତି ସ୍ବତନ୍ତ୍ର ଅଧିକାରୀ ଶ୍ରୀ ମହାନ୍ତ।
ଶ୍ରୀ ମହାନ୍ତଙ୍କ ନେତୃତ୍ବରେ ଆଶା ପ୍ରବନ୍ଧକ ନେତ୍ରାନନ୍ଦ ଜେନା, ଫାଇଲେରିଆ ପରାମର୍ଶଦାତା ସୌମ୍ୟରଞ୍ଜନ ନନ୍ଦ, କୀଟତତ୍ତ୍ବବିତ ବିଜନ ପାତ୍ର, ସ୍ବାସ୍ଥ୍ୟକର୍ମୀ ଦିଲ୍ଲୀପ କୁମାର ନାୟକ ଓ ଆଶାକର୍ମୀ ଜୟନ୍ତୀ ମହାନ୍ତ ଆଜି ମଧ୍ୟାହ୍ନ ସୁଦ୍ଧା ନାଲିଆଡାବରେ ପହଞ୍ଚି ତଳଡିହ ଗସ୍ତରେ ବାହାରୁଥିବା ଦେଖି ନାତୁର-୧ ବିଟ୍ ହାଉସର ଠିକା ବନ କର୍ମଚାରୀ ଦୁଃଶାସନ ମହାକୁଡ଼ ତଳଡିହ ବାଟରେ ହାତୀପଲ ଥିବା ସୂଚନା ଦେଇଥିଲେ। ବାଟରେ ବିପଦ ଆଶଂକା ସତ ହୋଇଥିଲା। ଏ ସଂପର୍କରେ ବନପାଳ ନରେଶ କୁମାର ଟୁଡ଼ୁଙ୍କୁ ପଚାରିବାରେ ସପ୍ତାହେ ଧରି କେନ୍ଦୁଝର ରେବଣା ସଂରକ୍ଷିତ ଜଙ୍ଗଲର ୮ ଟିକିଆ ହାତୀପଲ ନଗଡ଼ା ପାଖାପାଖି ଜଙ୍ଗଲରେ ବୁଲୁଥିବା କହନ୍ତି। ବନ୍ୟଜନ୍ତୁ ଆକ୍ରମଣ ଆଶଙ୍କା ଥିବାରୁ ଜଙ୍ଗଲରେ ଯାତ୍ରା ପୂର୍ବରୁ ବନ ବିଭାଗର ପରାମର୍ଶ ଲୋଡ଼ିବା ବିଧେୟ ବୋଲି ସେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/67688197-a5ca-46c8-a717-4ad13f7f1233.jpg)