ଜୟପୁର: ୯ଜଣ ବିଶେଷଜ୍ଞଙ୍କୁ ରାଜ୍ୟ ସରକାର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପାଇଁ ନିଯୁକ୍ତି ଦେଲେ। ତେବେ ୭ଜଣ ଯୋଗ ଦେଇଥିବା ବେଳେ ୨ଜଣ ଲମ୍ବାଛୁଟିରେ ରହିଛନ୍ତି। ଜଣେ ବିଶେଷଜ୍ଞ ଏଠାରୁ ଜଣେ ବଦଳି ହୋଇ ପଳାଇଲେ। ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୧୧୩ଜଣ ଡାକ୍ତର ରହିବା ବଦଳରେ ଏବେ ଏଠାରେ ଏବେ କାର୍ଯ୍ୟରତ ରହିଛନ୍ତି ୪୯ଜଣ। ଏହା ପରେ ଏଠାରେ ଧାର୍ଯ୍ୟ ସଂଖ୍ୟକ ଡାକ୍ତରଙ୍କ ଠାରୁ ଅର୍ଦ୍ଧାଧିକ ବି ପୁରଣ ହୋଇ ପାରିନି।

Advertisment

ସୂଚନାଅନୁଯାୟୀ, ଗତ ୨୦୧୮ମସିହା‌ରେ କୋରାପୁଟରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓ ଶିଶୁ କଲ୍ୟାଣ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲା। ଅଂଚଳବାସୀ ଉପଯୁକ୍ତ ସ୍ବସ୍ଥ୍ୟସେବା ପାଇବେ। ଧାର୍ଯ୍ୟସଂଖ୍ୟକ ବିଶେଷଜ୍ଞ ଡାକ୍ତର ଏଠାରେ ନିଯୁକ୍ତ ହେବା ସହ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପାଇବେ ବୋଲି ଆଶା କରିଥିଲେ। ତେବେ ତାହା ଏ ପର୍ଯ୍ୟନ୍ତ ହୋଇ ପାରିନି। ଅପରପକ୍ଷରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଯେଉଁ ଧାର୍ଯ୍ୟ ସଂଖ୍ୟକ ଫାରା ମେଡିକାଲ ଷ୍ଟାଫ, ଏମବିବିଏସ୍ ଡାକ୍ତର ଏବଂ ବିଶେଷଜ୍ଞ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନସିୟାନ, ଆଟେଣ୍ଡାଣ୍ଟ, ଫାର୍ମଶିଷ୍ଟ ଭଳି ପଦବୀ ବି ପୁରଣ ହୋଇ ପାରିନି। ଯଦିଓ ପ୍ରସୁତି ଓ ସ୍ତ୍ରୀ ବିଶେଷଜ୍ଞ, ଭେଷଜ, ସର୍ଜରୀ, ଚକ୍ଷୁ ଆଦି ବିଶେଷଜ୍ଞ ରହିଥିଲେ ହେଁ ନି‌ଶ୍ଚେତକ, ରେଡିଓଲୋଜୀ, କାର୍ଡିଆକ୍, ନ୍ୟୁରୋଲୋଜୀ ଭଳି ବହୁ ଜରୁରୀ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଏବେ ଏଠାକୁ ୩ଜଣ ପ୍ରସୁତି ଓ ସ୍ତ୍ରୀ ବିଶେଷଜ୍ଞ ଭାବେ ଜେ.ରାଉତ, ଆର ପି ବାଘ, କେ.ପି ବେହେରା ଯୋଗ ଦେଇଛନ୍ତି। ସେଭଳି ସର୍ଜରୀ ବିଶେଷଜ୍ଞ ଭାବେ ମନୋଜ ପି.ଆର, ଯକ୍ଷ୍ମା ରୋଗ ବିଶେଷଜ୍ଞ ଭାବେ ଓମ ପଦରାବିନ୍ଦ ଦାଶ, ଭେଷଜ ବିଶେଷଜ୍ଞ ଭାବେ ଦୀପ୍ତି ପ୍ରକାଶ ମହାପାତ୍ର, ଓ ଶିଶୁ ବିଶେଷଜ୍ଞ ଭାବେ ଏ‌.ତେଜେସ୍ବିନୀ ଯୋଗ ଦେଇଛନ୍ତି।

ଏଠାରେ ନିଯୁକ୍ତି ପାଇଥିବା ସର୍ଜରୀ ବିଶେଷଜ୍ଞ ଅଭିନାଶ ପଟ୍ଟନାୟକ ଓ ଶ୍ରଦ୍ଧାଂଜଳୀ ପାଣି ଦୀର୍ଘ ଲମ୍ବା ଛୁଟିରେ ରହିଥିବା ବେଳେ ଜଣେ ଶିଶୁ ବିଶେଷଜ୍ଞ ଏଠାରୁ ବଦଳି ହୋଇ ପଳାଇ ଯାଇଥିବା ସୂଚନା ମିଳିଛି। ଅପର ପକ୍ଷରେ ୨୦୨୧-୨୨ରେ ବର୍ହିବିଭାଗକୁ ୧ଲକ୍ଷ ୭୬ହଜାର ୪୯୧ଜଣ ରୋଗୀ ଆସିଥିବା ବେଳେ ଅନ୍ତଃ ବିଭାଗରେ ୨୫ହଜାର ୪୪୨ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ୨୦୨୨-୨୩ରେ ୨ଲକ୍ଷ ୨୯ହଜାର ୧୬୩ଜଣ ବର୍ହିବିଭାଗ ଓ ୩୨ହଜାର ୧୭ଜଣ ଅନ୍ତଃବିଭାଗରେ ରହି ଚିକିତ୍ସାଧୀନ ହୋଇଥିଲେ। ୨୦୨୧-୨୨ରେ ୬୩୮୨ଜଣ ଓ ୨୦୨୨-୨୩ରେ ୬୦୯୪ଜଣ ରୋଗୀଙ୍କୁ କୋରାପୁଟ, ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନକୁ ରେଫରାଲ କରାଯାଇଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଧାର୍ଯ୍ୟ ସଂଖ୍ୟକ ଡାକ୍ତର ନଥିବାରୁ ବହୁ ରୋଗୀ ଏବେ ଘରୋଇ ନର୍ସିଂ ହୋମ, କ୍ଲିନିକ୍, ଡାକ୍ତରଖାନା ଆଦି ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥିତିରେ ଗତ କିଛି ଦିନ ମଧ୍ୟରେ ସହରରେ ଖୋଲିଥିବା ଏକ ଘରୋଇ ଡାକ୍ତରଖାନାରେ ଦିନକୁଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବେଳ ଥାଉଣୁ ଲୋକ ପ୍ରତିନିଧି ଓ ସରକାର, ପ୍ରଶାସନ ଆଦି ଦୃଷ୍ଟି ଦେଇ ଖାଲିପଡ଼ିଥିବା ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ପୁରଣ କରି ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।