ଅବିଭକ୍ତ କୋରାପୁଟ ଜିଲ୍ଲାସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ୨୦୨୧ ଉଦଯାପିତ

ଅଭିନନ୍ଦନ, ସଂଘର୍ଷ, ମାଳିଫୁଟ ଅଫ୍ ଲାଇନ୍ ଶ୍ରେଷ୍ଠ

ଜୟପୁର: କଳା ଓ କଳାକାର ଜୟପୁର ଦ୍ବାରା ଅୟୋଜିତ କୋରାପୁଟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ୨୦୨୧ ଗତକାଲି ରାତିରେ ଉଦଯାପିତ୍ ହୋଇଯାଇଛି। ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଥମ ସ୍ଥାନରେ ନବରଙ୍ଗପୁର ତ୍ରିଶକ୍ତି ସିନେ କମ୍ବାଇନସ୍ର ‘ଅଭିନନ୍ଦନ’ ସ୍ଥାନ ପାଇଥିଲା। ଏଥି ପାଇଁ ୨୬ହଜାର ଟଙ୍କାର ଆର୍ଥିକ ପୁରସ୍କାର ଓ ମାନପତ୍ର, ଟ୍ରଫି ଆଦି ପୁରସ୍କୃତ ହୋଇଛି। ଏହା ସହ ଏହି ଚଳଚ୍ଚିତ୍ରର ଶ୍ରେଷ୍ଠ ନିର୍ଦେଶନା ପାଇଁ ଟେଲି ନିର୍ଦେଶକ ମନୋଜ ପଟ୍ଟନାୟକ ଓ ଶ୍ରେଷ୍ଠ କାହାଣୀ ପାଇଁ ବି ପୁରସ୍କୃତ ହୋଇଛି।

୨ୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜୟପୁର ପିଲ୍ମ କଂପାନି ଦ୍ବାରା ନିର୍ମିତ ‘ମାଳିଫୁଟ ଅଫଲାଇନ୍’ ପୁରସ୍କୃତ ହୋଇଛି। ୧୨ହଜାର୫୦୦ର ଆର୍ଥିକ ପୁରସ୍କାର, ମାନପତ୍ର ଓ ଟ୍ରଫି ବି ପାଇଛି। ଏହି ମାଳିଫୁଟ ଅଫଲାଇନର ଶିଶୁ ଅଭିନେତା ପ୍ରିତୀଶ କୁମାର ବିଶ୍ବାଳ ଶ୍ରେଷ୍ଠ ଶିଶୁ ଅଭିନେତା ଏବଂ ଜୁରୀଙ୍କ ଦ୍ବାରା ସନ୍ତୁ ଖୋସ୍ଲା ପୁରସ୍କୃତ ହୋଇଛନ୍ତି। ୩ୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପ୍ରେରଣା ଡ୍ୟାନ୍ସ୍ ଏକାଡେମୀର ‘ସଂଘର୍ଷ କାହାଣୀ ପରିବର୍ତ୍ତନର’ ପୁରସ୍କୃତ ହୋଇଛି। ଏହି ଚଳଚ୍ଚିତ୍ରକୁ ୭ହଜାର୫୦୦ର ଆର୍ଥିକ ପୁରସ୍କାର, ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଦିତ କରାଯାଇଛି। ଶ୍ରେଷ୍ଠ ଚିତ୍ରଉତ୍ତୋଳନ(କ୍ୟାମେରା) ଓ ଶ୍ରେଷ୍ଠ ଚିତ୍ର ନାଟ୍ୟ ପୁରସ୍କାର ବି ‘ସଂଘର୍ଷ କାହାଣୀ ପରିବର୍ତ୍ତନର’ ପାଇଛି।

ଦାମନଯୋଡିର “ପ୍ରତିଶ୍ରୁତି” ଚଳଚ୍ଚିତ୍ରଟି ଶ୍ରେଷ୍ଠ ସଂଳାପ(ଡାଏଲଗ) ଏବଂ ଅଭିନେତ୍ରୀ ଜାହ୍ନବୀ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଥିଲେ। ‘ପରଦେଶିଆ’ଚଳଚ୍ଚିତ୍ରର ଅଭିନେତା ସୁରଜ କୁମାର ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି। କୋଟପାଡ଼ର “ମାଇଜି ବୋୟା ” ଶ୍ରେଷ୍ଠ ସଂଗୀତ ସହ ହାସ୍ୟଅଭିନେତା ଡମ୍ବୁରୁଧର ନାୟକ ଶ୍ରେଷ୍ଠ ହାସ୍ୟଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ରାୟଗଡା ଜିଲ୍ଲାର “ଲଣ୍ଠନ” ଚଳଚ୍ଚିତ୍ରରେ ଖଳନାୟକ ମହେଶ ରାଓ ଶ୍ରେଷ୍ଠ ଖଳନାୟକ ଓ ପ୍ରଭାକର ମିଶ୍ର ସହ ଅଭିନେତା ପୁରସ୍କାର ଲାଭ କରିଥିଲେ। ରାୟଗଡା ଜିଲ୍ଲାରୁ ଆସିଥିବା ‘ଟାନା ପେଣୁ’ ଶ୍ରେଷ୍ଠ ଏଡିଟିଂ ପୁରସ୍କାର ଲାଭ କରି ପୁରସ୍କୃତ ହୋଇଥିଲା।

ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ‘ସନ୍ତାନ’ର ଅରୁଣା ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ଆବାହକ ଧିରେନ୍ ମୋହନ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଅଡୋଟରିୟମ୍ ନିର୍ମାଣ ପାଇଁ ସେ କୋଟିଏ ଟଙ୍କା ଦେବା ପାଇଁ ଏବଂ ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଏବଂ ନାଟକ କରାଯିବକୁ ଘୋଷଣା କରିଥିଲେ। ଅନ୍ୟତମ ଅତିଥି ଜୟପୁର ଆକାଶବାଣୀ କେନ୍ଦ୍ର ମୁଖ୍ୟ ଗୌରଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଆଗାମୀ ଦିନରେ ଆକାଶବାଣୀ , କଳା ଓ କଳକାରର ମିଳିତ ସହଯୋଗରେ ନାଟକ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ରବୀନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ସ୍ୱର ଘୁଙ୍ଗୁର ର କଳାକାର ମାନେ ସଂଗୀତ ପରିବେଷଣ କରିଥିଲେ। ମଂଚକୁ ସ୍ନେହା ବେବର୍ତ୍ତା ଏବଂ ନିବେଦିତା ପଣ୍ଡା ସଂଯୋଜନା କରିଥିଲେ।

ସୂଚନାଯୋଗ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସମୁଦାୟ ୨୬ଟି ଚଳଚ୍ଚିତ୍ର ଦାଖଲ ହୋଇଥିବା ବେଳେ ମନୋନୟନ କମିଟି ଏଥି ମଧ୍ୟରୁ ୧୭ଟି ପ୍ରଦର୍ଶିତ ପାଇଁ ଯୋଗ୍ୟ ବିବେଚିତ କରିଥିଲେ। ବିଚାରକ ଭାବେ ବିଶିଷ୍ଠ ନାଟ୍ୟକାର ସର୍ବଶ୍ରୀ ଗୋପାଳ କୃଷ୍ଣ ସାମନ୍ତରାୟ, ସନ୍ତୋଷ ଦାସ, ବାମଦେବ ମହାପାତ୍ର ରହିଥିଲେ l ଏହି କାର୍ଯ୍ୟକ୍ରମକୁ ଧିରେନ ପଟନାୟକ ପରିଚାଳନା ଏବଂ ମୁରଲୀ ମହାପାତ୍ର ଏବଂ ଉମାକାନ୍ତ ମହାରଣା ସହଯୋଗ କରିଥିଲେ l ଜୟପୁରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ କରି ହୋଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର