ବୁଲା କୁକୁରଙ୍କ ଆକ୍ରମଣରେ କୁଟୁରାଛୁଆର ପ୍ରାଣ ଗଲା

ବୀରମହାରାଜପୁର: ବୀରମହାରାଜପୁର ବ୍ଲକ ଖଣ୍ଡହଥା ପଞ୍ଚାୟତ ବଡକିରାସିରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ଦିନ ଦୁଇମାସର ଏକ କୁଟୁରା (ହରିଣ) ଜଙ୍ଗଲ୍‌ରେ ଘାସ ଖାଉଥିବା ବେଳେ କିଛି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। କୁକୁରମାନଙ୍କର କବଳରୁ ରକ୍ଷା ପାଇବା ପାଇଁ କୁଟୁରା ଛୁଆଟି ପ୍ରାଣ ବିକଳରେ ଦୌଡି ଦୌଯଡି ଖଣ୍ଡହଥା କେନ୍ଦୁପତ୍ର ରେଞ୍ଜର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଳାଇ ଆସିଥିଲା।

ସେଠାରେ ଥିବା ରେଞ୍ଜର ସୁମନ୍ତ ମହାକୁଡ଼,ବନପାଳ ଆସା ଡୁଙ୍ଗଡୁଙ୍ଗ ଓ ବନରକ୍ଷୀ ଦକ୍ଷ ପ୍ରଜାପତି କିଷାନ କୁକୁରମାନଙ୍କ କବଳରୁ କୁଟୁରା ଛୁଆଟିକୁ ଉଦ୍ଧାର କରି ତୁରନ୍ତ ଏକ ଗାଡ଼ିରେ ସୁବଳୟା ବନବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ ।

ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରିୟବ୍ରତ ବେହେରା ଅନେକ ଚେଷ୍ଟା କରିଥିଲେ ହେଁ କୁଟୁରା ଛୁଆଟିକୁ ବଞ୍ଚାଇ ପାରି ନଥିଲେ । କୁକୁରମାନଙ୍କର ଆକ୍ରମଣରେ କୁଟୁରାଟିର ଅନେକ ରକ୍ତସ୍ରାବ ହେବା ସହ ବଞ୍ଚିବା ପାଇଁ ଜୋରରେ ଦୌଡି ଥିବା ହେତୁ ସେ ଆହୁରି ଦୁର୍ବଳ ହୋଇଯାଇଥିବା ଯୋଗୁଁ କୁଟୁରା ଛୁଆଟି ମରିଯାଇଥିବା ଅନୁମାନ କରାଯାଉଛି ।

ବୀରମହାରାଜପୁର ବନଖଣ୍ଡ ଅଧିକାରୀ ଅବିନାଶ ବେହେରା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କୁଟୁରାର ଶବ ବ୍ୟବଚ୍ଛେଦ ପରେ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସବୁକୁ ପୋତି ଦିଆଯାଇଛି। ଖବର ପାଇ ସୁବଳୟା ସରପଞ୍ଚ ଲିଲି ପାତ୍ର ସମାଜସେବୀ ଶେଷ ଦେବ ବାରିକ ପ୍ରମୁଖ ବନଖଣ୍ଡ କାର୍ଯ୍ୟଯଳୟରେ ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର