ସୁନ୍ଦରଗଡ଼ର ସସ୍ମିତା: କୁକୁର ପ୍ରେମରେ ବନ୍ଧା ତାଙ୍କ ଜୀବନ

ସୁନ୍ଦରଗଡ଼: ନିଜକୁ ବିତ୍ତଶାଳୀର ପରିଚୟ ଦେବାକୁ ହେଉ ଅବା ଚୋର ଭୟ, ସହରରେ ବିଦେଶୀ କୁକୁର ରଖିବା ଅନେକଙ୍କ ସଉକ। କିନ୍ତୁ ଏଠି ଯଦି ଦେଶୀ ବୁଲା କୁକୁରର କଥା କୁହାଯିବ, ପ୍ରାୟ ସମସ୍ତେ ଘୃଣାରେ ନାକ ଟେକିବେ। ସ୍ବତଃ ମୁହଁରୁ ବାହାରି ପଡ଼ିବ, ବୁଲା କୁକୁରଙ୍କୁ କେହି କ’ଣ ପାଳେ। ସତରେ କଥା କହି ପାରୁ ନଥିବା ପ୍ରାଣୀଙ୍କ ମଧ୍ୟରେ ସବା ତଳେ ଥିବା ବୁଲା କୁକୁରଙ୍କ ଜୀବନ ବଡ଼ ଶୋଚନୀୟ, ଦୁସ୍ଥ। ନା ସେମାନଙ୍କ ପାଇଁ ଘର ଅଛି, ନା ଖାଇବାର ଠିକଠିକଣା। ଛୋଟ ପିଲାମାନେ ସେମାନଙ୍କୁ ଦେଖିଲେ ପଥର ମାରନ୍ତି, ଏପରିକି ବଡ଼ମାନେ ବାଡ଼ି ଧରି ଗୋଡ଼ାନ୍ତି। ରାସ୍ତାଘାଟ ସବୁଠି ସେମାନେ ଅଛୁଆଁ, ଘୃଣ୍ୟ।


ଆଉ କୌଣସି ସମୟରେ ଦୁର୍ଘଟଣାରେ ଆହତ ହେଲେ ତ କଥା ଶେଷ। ରାସ୍ତା କଡ଼ରେ କଲବଲ ହୋଇ ମରୁଥିଲେ ମଧ୍ୟ ତାଙ୍କୁ କେହି ଆଡ଼ ଆଖିରେ ବି ଅନାନ୍ତି ନାହିଁ। ଏମିତି ହୀନ ଜୀବନ ଜିଉଁଥିବା ବୁଲା କୁକୁରଙ୍କୁ ଦେଖିଲେ ମନରେ ପ୍ରଶ୍ନ ଉଠେ, ସତରେ କ’ଣ ଏ ଦୁନିଆରେ ସେମାନଙ୍କ ପାଇଁ ଜାଗା ନାହିଁ। ଏ ପ୍ରଶ୍ନ ଦିନେ ବିଚଳିତ କରିଥିଲା ସୁନ୍ଦରଗଡ଼ ସହର ବ୍ରାହ୍ମଣପଡ଼ାର ଜଣେ ଗୃହିଣୀ ସସ୍ମିତା ଯୋଶୀଙ୍କୁ।

ଏହି ବିଚଳିତ ଭାବ ହିଁ ତାଙ୍କୁ ବୁଲା କୁକୁରଙ୍କ ପ୍ରତି ଆକର୍ଷିତ କରିଥିଲା। ସେମାନଙ୍କୁ କୌଣସି ପ୍ରକାରେ ସେବା ଦେବା କଥା ଚିନ୍ତା କରୁ କରୁ ନିଜ ଘରେ ହିଁ ଦେଇଥିଲେ ଜାଗା। ସହରର ବୁଲା କୁକୁରଙ୍କୁ ଘରେ ରଖି ଲାଳନପାଳନ କରି ଆସୁଛନ୍ତି। ଏହା ମଧ୍ୟରେ ୧୫ ବର୍ଷ ବିତିଗଲାଣି, ଶତାଧିକ ବୁଲା କୁକୁରଙ୍କୁ ସେ ନିଜ ଘରେ ରଖିଛନ୍ତି। ସେମାନଙ୍କୁ ଗାଧୋଇଦେବା, ଠିକ୍ ସମୟରେ ଖାଇବାକୁ ଦେବା, ଅସୁସ୍ଥ ହେଲେ ପ୍ରାଣୀ ଡାକ୍ତରଙ୍କୁ ଡାକି ଚିକିତ୍ସା କରାଇବା ସବୁ କାମ ସେ ନିଜ ହାତରେ କରନ୍ତି। ବୁଲା କୁକୁର ପଲଙ୍କୁ ଘର ଭିତରେ ସୋଫା ଓ ଖଟରେ ଶୋଇଥିବା ଦେଖିଲେ ସସ୍ମିତାଙ୍କ ମହତପଣିଆ ବାରି ହୋଇଯାଏ। ତେବେ ଘର ଭିତରେ ବୁଲା କୁକୁରଙ୍କୁ ଆଣି ରଖିବା ଏତେ ସହଜ କଥା ନଥିଲା ବୋଲି କହନ୍ତି ସସ୍ମିତା।


ପ୍ରଥମେ ପ୍ରଥମେ ଘର ଲୋକ ଏହାକୁ ପ୍ରବଳ ବିରୋଧ କରିଥିଲେ। କିନ୍ତୁ ସସ୍ମିତା ବୁଲା କୁକୁରଙ୍କ ଦୁଃଖ କଥା ବୁଝାଇ ଓ ଜିଦ୍ କରି ଘର ଲୋକଙ୍କୁ ମନାଇ ନେଇଥିଲେ। ଘର ଲୋକେ ରାଜି ହେବା ପରେ ପଡ଼ୋଶୀ ଏହାକୁ ଗ୍ରହଣ କରି ନଥିଲେ। ମାଳମାଳ ବୁଲା କୁକୁରଙ୍କୁ ଘରେ ରଖିବା କଥାକୁ ନାକ ଟେକୁଥିଲେ। କିନ୍ତୁ ସସ୍ମିତାଙ୍କ ସେବା ଦେଖି ଧୀରେ ଧୀରେ ସେମାନେ ବି ସ୍ବଭାବିକ ହୋଇଗଲେ। ତେବେ ସସ୍ମିତାଙ୍କ ଏ ମହତ୍ତ କାର୍ଯ୍ୟ ତାଙ୍କୁ ଏକ ନୂଆ ପରିଚୟ ଦେଇଛି।

ସମ୍ବନ୍ଧିତ ଖବର