କରୋନା କଟକଣା ଭିତରେ ପାଳନ ହେଲା ନିକୁଞ୍ଜବିହାରୀ ଦେବଙ୍କ ଦୋଳମେଲଣ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାସ୍ଥିତ ପଭୁ ନିକୁଞ୍ଜବିହାରୀ ଦେବଙ୍କ ପ୍ରସିଦ୍ଧ ଦୋଳମେଲଣ ଆଜି ଉଦଯାପିତ ହୋଇଯାଇଛି । ସ୍ଥାନୀୟ ସାପ୍ତାହିତ ହାଟ ପରିସରର ଦୋଳମଣ୍ଡପରେ ରସୁଲଗଡ଼, ମଞ୍ଚେଶ୍ବର, ହରିଦାଶପୁର, ନହରକଣ୍ଟା, ହଂସପାଳ, ଭୁବନପୁର ଏବଂ ଜୟପୁରର ୩ଗୋଟି ବିମାନ ସ୍ଥାପିତ ହୋଇଥିଲେ।

ଆଜି ସଂଧ୍ୟାରେ ମଞ୍ଚେଶ୍ବର ଅଞ୍ଚଳର ଥାନପତି ମଞ୍ଚନାଥ ଓ ରସୁଲଗଡ଼ ଅଞ୍ଚଳର ଗୋପୀନାଥ ଦେବଙ୍କ ମଧ୍ୟରେ ହରିହର ଭେଟ ପରଂପରା ମେଲଣ ପର୍ବର ମୁଖ୍ୟ ଆକର୍ଷଣ ଥିଲା । କରୋନା କଟକଣା ଅନୁଯାୟୀ ମେଳଣ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ବାଣଫୁଟିନଥିଲା କି କାନଫଟା ରୋଷଣି ଶୋଭାଯାତ୍ରା ଆୟୋଜନ ହୋଇନଥିଲା ।

ଗତକାଲି ବିଳମ୍ବିତ ରାତିରେ ବିମାନରେ ଦିଅଁମାନେ ଉପବିଷ୍ଟ ହୋଇ ମହାତ୍ମାସେତୁ ନିକଟରେ ଏକତ୍ରିତ ହୋଇଥିଲେ । ସେଠାରୁ ଦୋଳ ଏବଂ ମେଲର କମିଟିର କାର୍ଯ୍ୟକର୍ତ୍ତାମାନେ ଘଣ୍ଟ ଓ ପାରଂପରିକ ବାଦ୍ୟଯନ୍ତ୍ର ବଜାଇ ବିମାନ ସମୂହଙ୍କୁ ମେଲଣ ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରକ୍ଷା କରି ବିମାନରେ ଦିଅଁମାନଙ୍କୁ ଫଗୁ ଲାଗିକରି ଅପୂର୍ବ ଆନନ୍ଦ ଅନୁଭବ କରିଥିଲେ । ସେହିପରି ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ବିମାନରେ ଦିଅଁ ବସି ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଘରେ ଭୋଗ ଖାଇବା ଅନ୍ୟତମ ମୁଖ୍ୟ ପରଂପରା ଥିଲା । ଦୋଳଯାତ୍ରା ଶେଷରେ ମେଣ୍ଢାକୁଡ଼ିଆ ପୋଡ଼ାଯାଇଥିଲା ।

ସମ୍ବନ୍ଧିତ ଖବର