ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଅଂଚଳରେ ଚଳିତମାସ ୧୬ ରୁ ୧୮ ତାରିଖ ଯାଏ ୩ଦିନ ଧରି ଡଲଫିନ୍ ଗଣନା କରାଯିବ। ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଡଲଫିନମାନଙ୍କ ଗଣନା କରାଯିବ ବୋଲି ରାଜନଗର ଡିଏଫଓ ଡ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି କ୍ରମେ ୨୦୧୫ ମସିହାରୁ ଭିତରକନିକା ଅଂଚଳରେ ଡଲଫିନ୍ ଗଣନା କରାଯାଉଛି। ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲରରୁ ଚିଂଚିରି ମାଉଥ୍, ବରୁଣେଇ ରୁ ପାରାଦୀପ, ହଂସିଣା ବ୍ରିଜ୍ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସି ରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍ ଗଣନା କରାଯିବ।
ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏ ଗଣନାକାରୀ ରହିବେ। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରୀକରେ ୪ଟି ଟିମ୍ ଡଲଫିନ୍ମାନଙ୍କ ଗଣନା କରିବେ। ୧୫ ତାରିଖ ଦିନ ଡଲଫିନ୍ ଗଣନା କିପରି କରାଯିବ ଓ କେଉଁ ତରିକାରେ କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯିବ ଏବଂ ୧୬ ରୁ ୧୮ ତାରିଖ ଯାଏ ୩ଦିନ ଧରି ୯ଟି ଗ୍ରୁପ ଏହି ଗଣନା କରିବେ। ଭିତରକନିକା ସଲଗ୍ନ ନଦୀ, କ୍ରିକ୍ ଓ ସମୁଦ୍ରରେ ଇରାୱାର୍ଡ, ବଟଲ ନୋଜ୍, ୨ ପ୍ରଜାତିର ହମ୍ପବ୍ୟାକ୍, ଫିନ୍ଲେସ୍ ପରିପଏସ୍ ଓ ପାଂଟ୍ରୋପିକାଲ ସ୍ପଟେଡ ଡଲଫିନ ପ୍ରଭୃତି ୫ ପ୍ରଜାତିର ଡଲଫିନ୍ ଦେଖାଯାନ୍ତି। ଏମାନଙ୍କ ଗଣନା କରାଯିବା ସହିତ ଇଣ୍ତିଆ ଉପକୂଳରେ ଦେଖାଯାଉଥିବା ରିସୋସ୍ ଓ ସ୍ପିନ୍ର ଜାତୀୟ ଡଲଫିନ୍ ଅଛନ୍ତି କି’ ନାହିଁ ଦେଖାଯିବ। ଏହା ବାଦେ ଏହି ସମୁଦ୍ରରେ ଗଣନା ସମୟରେ ତିମି ମାଛ ଦେଖାଗଲେ ସେମାନଙ୍କ ଗଣନା କରାଯିବ ବୋଲି ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶାର କେବଳ ଭିତରକନିକାରେ ୬ ପ୍ରକାର ଡଲ୍ଫିନ୍ ଦେଖାଯାଇଥାଏ। ଗତବର୍ଷ ଭିତରକନିକାରେ ୩୪୨ ଡଲଫିନ ଗଣନା ବେଳେ ଚିହ୍ନଟ କରାଯାଇଥିଲା।