ରାଜନଗର: ରାଜନଗର ବ୍ଲକ୍ ଅନ୍ତର୍ଗତ ଭିତରକନିକା ଅଞ୍ଚଳରେ ଆରମ୍ଭ ହେଲା ଡଲଫିନ୍ ଗଣନା। ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଆଜି ରବିବାର ଠାରୁ ଗଣନା ଆରମ୍ଭ କରାଯାଇଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ କେବଳ ଚିଲିକାରେ ଡଲଫିନ୍‌ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତିକ୍ରମେ ୫ ବର୍ଷ ହେଲା ଭିତରକନିକା.ରେ  ଡଲଫିନ୍‌ ଗଣନା କରାଯାଉଛି।

Advertisment

ଭିତରକନିକା ଅଂଚଳରେ ଡଲଫିନ୍‌ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲର୍ ରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦ୍ୱିପ, ହଂସିଣା ବ୍ରିଜରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦ୍ୱୀପରୁ ଜଟାଧାର ମୁହାଁଣ ଓ ଦେବୀ ମୁହାଁଣରୁ ଜଟାଧାର ମୁହାଁଣ ଯାଏଁ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍‌ ଗଣନା କରାଯିବ।

ଡଲଫିନ୍‌ ବିଷାରଦ ଡକ୍ଟର ମୁନ୍ତାଜ ଖାଁଙ୍କ ନେତୃତ୍ୱରେ ଏହି ଗଣନା କରାଯିବ। ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏଁ ଗଣନାକାରୀ ରହିଛନ୍ତି। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରୀଜରେ ୪ଟି ଟିମ୍ ଡଲଫିନ୍‌ ମାନଙ୍କର ଗଣନା କରିବେ। ଗତକାଲି ୧୬ ତାରିଖ ଦିନ ଡଲଫିନ୍‌ ଗଣନା କି’ପରି କରାଯିବ ଓ କେଉଁ ତରିକାରେ କରାଯିବ ସେ ନେଇ ଟ୍ରେନିଂ ଦିଆଯାଇଛି। ଭିତରକନିକା ସଲଗ୍ନ ନଦୀ, କ୍ରିକ୍ ଓ ସମୁଦ୍ରରେ ଇରାୱାର୍ଡ, ବଟଲ୍ନୋଜ୍, ହମ୍ପବ୍ୟାକ୍, ଫିନ୍ଲେସ୍ ପରିପଏସ୍ ଓ ଗାଙ୍ଗେଟିକ୍ ପ୍ରଭୃତି ୫ ପ୍ରଜାତିର ଡଲଫିନ୍‌ ଦେଖାଯାଇଥାନ୍ତି। ଏମାନଙ୍କ ଗଣନା କରାଯିବା ସହିତ ଇଣ୍ଡିଆ ଉପକୂଳରେ ଦେଖାଯାଉଥିବା ରିସୋସ୍ ଓ ସ୍ପିନ୍ର ଜାତୀୟ ଡଲଫିନ୍‌ ଅଛନ୍ତି କି’ ନାହିଁ ତାହା ମଧ୍ୟ ଦେଖାଯିବ। ଏହା ବାଦ୍‌ ସମୁଦ୍ରରେ ଗଣନା ସମୟରେ ତିମି ମାଛ ଦେଖାଗଲେ ସେମାନଙ୍କ ଗଣନା କରାଯିବ ବୋଲି ସୂଚନା ମିଳିଛି। ଚିଲିକା ଅଂଚଳରେ କେବଳ ଇରାୱାର୍ଡି ପ୍ରଜାତିର ଡଲଫିନ୍‌ ଦେଖାଯାଆନ୍ତି। ହେଲେ ଭିତରକନିକାରେ ୫ ପ୍ରକାର ଡଲଫିନ୍‌ ଦେଖା ଯାଇଥାନ୍ତି।