ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ବିରଳ ବଉଳାକୁମ୍ଭୀରଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି। ଡାଙ୍ଗମାଳଠାରେ ବଉଳାକୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ରହିଛି। ଭାରତର ଭିତରକନିକାରେ ସର୍ବାଧିକ ବଉଳାକୁମ୍ଭୀର ଦେଖିବାକୁ ମିଳେ। ଏହାବାଦ୍ ପ୍ରାକୃତିକ ପରିବେଶରେ ସବୁଠୁ ଅଧିକ ଧଳା କୁମ୍ଭୀର ଭିତରକନିକାରେ ଅଛନ୍ତି। ଏଥିସହ ଗହୀରମଥା ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ। ବଉଳାକୁମ୍ଭୀର ଓ ଅଲିଭରିଡଲେଙ୍କ ପାଇଁ ଭିତରକନିକା ବିଶ୍ୱ ପ୍ରାକୃତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଭିତରକନିକା ପରିଚୟରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି। ଓଡିଶାରେ ସବୁଠୁ ଅଧିକ ପ୍ରଜାତିର ଓ ଅଧିକ ସଂଖ୍ୟମ ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି। ୨ଦିନ ଗଣନା ମଧ୍ୟରେ କେବଳ ସମୁଦ୍ରରେ ୪ଶହରୁ ଅଧିକ ଡଲଫିନ ଓ ଶାବକ ଚିହ୍ନଟ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଣୁ ଗହୀରମଥାକୁ ଡଲଫିନଙ୍କ ଅନ୍ତୁଡିଶାଳ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗତ ୧୬ ତାରିଠାରୁ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ଡଲଫିନ ଗଣନା ଆରମ୍ଭ ହୋଇଛି। ଡିଏଫଓ ଡ.ଯଜ୍ଞଦତ ପତି, ପଶ୍ଚିମବଙ୍ଗର ପୂର୍ବତନ ପିସିସିଏଫ ଏନ.ଭି. ରାଜଶେଖର, ବୈଜ୍ଞାନିକ ଆଣ୍ଟୋନି ଜନ୍ସନ ପ୍ରମୁଖଙ୍କ ନେତୃତ୍ୱରେ ୯ଟି ଦଳ ଡଲଫିନଙ୍କ ଗଣନା କରୁଛନ୍ତି। ୩ଦିନ ଧରି ଏହି ଗଣନା ଚାଲିବାକୁ ଥିବା ବେଳେ ୨ଦିନର ଗଣନା ଶେଷ ହୋଇଛି। ଆଉଟର ହୁଲଇରରୁ ଚିଂଚିରି ମାଉଥ, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ ମାଈପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆ, ଜମ୍ବୁ ଖରନାସୀରୁ ହୁକିଟୋଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପ୍ ଗଣନା କରୁଛନ୍ତି। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ ଏବଂ କ୍ରିକ୍ରେ ୪ଟି ଟିମ୍ ଗଣନା କରୁଛନ୍ତି। ଏହି ଗଣନା ସମୟରେ ଭିତରକନିକା ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ୨ଦିନ ଗଣନା ମଧ୍ୟରେ କେବଳ ସମୁଦ୍ରରେ ୪ଶହରୁ ଅଧିକ ଡଲଫିନ ଓ ଶାବକ ଚିହ୍ନଟ କରାଯାଇ ସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଚିଞ୍ଚିରି ମୁହାଣ ନିକଟରେ ଏକସାଙ୍ଗରେ ଆଜି ସକାଳେ ୨ଶହରୁ ୩ଶହ ଇରାଓ୍ୱାର୍ଡି ଓ ଗ୍ୟାଙ୍ଗେଟିକ ପ୍ରଜାତିର ଡଲଫିନ ଓ ଡଲଫିନ ଶାବକଙ୍କ ଜଳକ୍ରୀଡା ଦେଖିବାକୁ ମିଳିଥିଲା। ହବାଳିଖଟି ନିକଟରେ ୨ଶହରୁ ଅଧିକ ବଟଲନୋଜ ଓ ସ୍ପିନର ପ୍ରଜାତିର ଡଲଫିନ ଜଳକ୍ରୀଡା କରୁଥିବାର ଦୃଶ୍ୟ ଗଣନାକାରୀ ଟିମ ଦେଖିବାକୁ ପାଇଥିଲେ।
ଏହାବାଦ୍ ଚଳିତବର୍ଷ ଇକୋ ରିଟ୍ରିଟ ଅନୁଷ୍ଠିତ ହେଉଥିବା ପେଣ୍ଠ ନିକଟ, ଇକୋ ରିଟ୍ରିଟର ‘ପ୍ରକୃତି କଟେଜ’ ସମ୍ମୁଖରେ ଏକକାଳୀନ ୩୯ଟି ଇରାଓ୍ୱାର୍ଡି ପ୍ରଜାତିର ଡଲଫିନ ଦୀର୍ଘ ସମୟ ଧରି ଜଳକ୍ରୀଡା କରୁଥିବା ଦେଖିବାକୁ ମିଳିଥିଲା। ଗଣନା ସମୟରେ ବଡ଼ ଡଲଫିନଙ୍କ ସହିତ ଶାବକଙ୍କୁ ଦେଖିବାକୁ ମିଳିଥିବାରୁ ଏହା ଭିତରକନିକା ଓ ଗହୀରମଥା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି।
ଅନ୍ୟପଟେ ଗଣନା କାର୍ଯ୍ୟକ୍ରମରେ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଏ ବର୍ଷ ୪ଶହରୁ ଅଧିକ ଡଲଫିନଙ୍କୁ ଚିହ୍ନଟ କରାଯାଇ ସାରିଥିବା ଜଣାପଡିଛି। ଗତବର୍ଷ ମଧ୍ୟ ଡଲଫିନ ଗଣନା ସମୟରେ ହବାଳିଖଟି ନିକଟରେ ଏକସଙ୍ଗରେ ୩ଶହରୁ ଅଧିକ ଡଲଫିନଙ୍କୁ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ଅଧାରୁ ଅଧିକା ଡଲଫିନ ଶାବକ ଥିଲେ। ଦୀର୍ଘ ବର୍ଷ ଧରି ଡଲଫିନଙ୍କ ଅନ୍ତୁଡିଶାଳ ଓଡିଶାରେ ଚିଲିକାକୁ ଗଣାଯାଉଥିଲା। କେବଳ ଚିଲିକାରେ ହିଁ ଡଲଫିନଙ୍କ ଗଣନା ହେଉଥିଲା। ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତି କ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ଡଲଫିନ ଗଣନା କରାଯାଉଛି। ପ୍ରଥମ ବର୍ଷ ୭ଟି ସ୍ଥାନରେ ସମୁଦାୟ ୪୫୦ଟି ୭ ପ୍ରଜାତିର ଡଲଫିନ ଚିହ୍ନଟ ହୋଇଥିବା ବେଳେ କେବଳ ଭିତରକନିକାରେ ୬ପ୍ରଜାତିର ୨୭୦ଟି ଡଲଫିନ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ୨ ପ୍ରଜାତିର ହମ୍ପବ୍ୟାକ୍, ପାନଟ୍ରୋପିସିଆଲ ଓ ଫିନଲେସପରିପଏସ ଡଲଫିନ୍ କେବଳ ଭିତରକନିକାରେ ହିଁ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ୨୦୧୬ରେ ମାତ୍ର ୧୯ଟି ୨୦୧୭ରେ ୮୨, ୨୦୧୮ରେ ୩୦୭, ୨୦୧୯ରେ ୧୧୨, ୨୦୨୦ରେ ୬୨ ଓ ୨୦୨୧ରେ ୩୪୨ ଡଲଫିନ ଚିହ୍ନଟ ହୋଇଥିଲା।