ଚାନ୍ଦିପୁର ବେଳାଭୂମିରେ ଠାବ ଡଲଫିନ୍‌ ମୃତ

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସମୁଦ୍ର ବେଳାଭୂମିରେ ଠାବ କରାଯାଇଥିବା ୫ ଫୁଟ୍‌ ଲମ୍ବର ଡଲ୍‌ଫିନ୍‌ର ମୃତ୍ୟୁ ହୋଇଛି। ମଙ୍ଗଳବାର ଅପରାହ୍‌ଣ ପ୍ରାୟ ୪ଟା ସମୟରେ ଚାନ୍ଦିପୁର ନିକଟ ନଅମାଇଲ ସମୁଦ୍ର ତଟରେ ଏହି ଡଲଫିନ୍‌କୁ ଠାବ କରାଯାଇଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ ସେଠାରେ ଭିଡ଼ ଜମାଇଥିଲେ। ବିଶେଷକରି କମ୍‌ ବୟସର ପିଲାମାନେ ଜୀବନ୍ତ ଡଲଫିନ୍‌କୁ ହାତରେ ଛୁଇଁ ଖୁସିରେ ଆତ୍ମହରା ହୋଇଥିଲେ। ଅନେକ ଫଟୋ ଓ ସେଲ୍‌ଫି ମଧ୍ୟ ନେଇଥିଲେ। ଜୁଆରରେ ଡଲଫିନ୍‌ଟି ସମୁଦ୍ର କୂଳକୁ ଭାସିଆସିଥିବାର ଜଣାଯାଇଥିଲା। ପରେ ସମସ୍ତେ ମିଶି ଡଲଫିନ୍‌ଟିକୁ ସମୁଦ୍ର ଭିତରେ ନେଇ ଛାଡ଼ିଥିଲେ। ହେଲେ ଗଭୀର ପାଣି ଭିତରକୁ ଯାଇନପାରି ଡଲଫିନ୍‌ର ମୃତ୍ୟୁ ହୋଇଯାଇଥିଲା। ଆଜି ସକାଳେ ଭାସି ଆସି ପୁଣି କୂଳରେ ଲାଗିଥିଲା। ବନ କର୍ମଚାରୀ ଡ୍ୟୁଟି କରିବା ସମୟରେ ଏହାକୁ ଦେଖିବାକୁ ପାଇଥିଲେ। ଆଉ ପରେ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଫରେଷ୍ଟ ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର