ପୁରୀ: ମହାପ୍ରଭୁଙ୍କୁ ବି ଚୋର ଭୟ କରୁନାହିଁ। ଯିଏ ବିଶ୍ବର ସବୁ କଥା ଦେଖୁଛନ୍ତି ଓ ଜାଣୁଛନ୍ତି, ତାଙ୍କୁ ଚୂନା ଲଗାଇବା ପାଇଁ ମଧ୍ୟ ଚୋର ସାହସ କରୁଛି। ଏହି ଭଳି ଏକ ଘଟଣା ପୁରୀ ଶ୍ରୀମନ୍ଦିରରେ ଘଟିଛି। ସିଂହଦ୍ବାର ଥାନା ପୁଲିସ ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଥିବା ୩୫ ହଜାର ଟଙ୍କା ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ପୁଲିସ କହିବା ଅନୁସାରେ ଶ୍ରୀମନ୍ଦିର ହୁଣ୍ଡିରୁ ସଂଗୃହୀତ ଟଙ୍କା ଗତକାଲି (ଗୁରୁବାର) ସନ୍ଧ୍ୟାରେ ଗଣତି ହୋଇଥିଲା। ଏହି ଟଙ୍କା ଡୋନେସନ୍ ସେଲ୍ରେ ଗଣତି ଚାଲିଥିଲା। ଏହି କାମରେ ଶ୍ରୀମନ୍ଦିରର କର୍ମଚାରୀମାନେ ନିୟୋଜିତ ଥିଲେ। ତେବେ ନିୟୋଜିତ ଥିବା କର୍ମଚାରୀମାନଙ୍କ ମଧ୍ୟରୁ କୌଶଳ କ୍ରମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୫ ହଜାର ଟଙ୍କା ଚୋରି କରିଥିଲେ। ଏହି ଘଟଣା ପରେ ସିସିଟିଭି କ୍ୟାମେରା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଥାନାରେ ଏତଲା ପରେ ପୁଲିସ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି। ମାମଲା ରୁଜୁ ସହ ଘଟଣାର ଅଧିକ ତଦନ୍ତ କରୁଛି। ଶ୍ରୀମନ୍ଦିର ପ୍ରଶାସନ ସଂପୃକ୍ତ ବ୍ୟକ୍ତିଙ୍କୁ ନିଲମ୍ବନ କରିଛି।
ତେବେ ଶ୍ରୀମନ୍ଦିର ହୁଣ୍ଡିରୁ ସଂଗୃହୀତ ହୋଇଥିବା ଟଙ୍କା ଚୋରି ହେବା, ଏହା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୨୦୨୩ ଜୁଲାଇ ୧୫ ତାରିଖ ଦିନ ଶ୍ରୀମନ୍ଦିରର ହୁଣ୍ଡି ଟଙ୍କା ଗଣତି ସମୟରେ ଜଣେ କର୍ମଚାରୀ ଟଙ୍କା ନେଇ ଚମ୍ପଟ ମାରିଥିବାରୁ ପୁଲିସ ତାକୁ ଗିରଫ କରିଥିଲା। ଉକ୍ତଦିନ ରାତି ୧୧ଟା ସମୟରେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ହେଉଥିଲା। ଏହି ସମୟରେ ଟଙ୍କା ଗଣୁଥିବା ଟାଉନ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହି ଚିନ୍ମୟ ପବ୍ଲିକ ସ୍କୁଲ ନିକଟରେ ରହୁଥିବା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବିଣ୍ଡିପୁର ନିବାସୀ ସୁଶାନ୍ତ କୁମାର ରାଉତରାୟ(୩୬) ସେଥିରୁ ୮ଶହ ଟଙ୍କା ନେଇ ଚମ୍ପଟ ମାରିଥିଲା। ତେଣୁ ଏନେଇ ଶ୍ରୀମନ୍ଦିର ଜମି ଅଧିଗ୍ରହଣ ଅଧିକାରୀ ଲକ୍ଷ୍ମଣ କୁମାର ସ୍ବାଇଁ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ସୁଶାନ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଥିଲେ।