କୃଷି ଶିଳ୍ପ ନିଗମ ପକ୍ଷରୁ କୋଭିଡ୍ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ପ୍ରଦାନ

ବାରିପଦା : କୋଭିଡ୍ ମହାମାରୀ ମୁକାବିଲା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛି ଓଡ଼ିଶା କୃଷି ଶିଳ୍ପ ନିଗମ। ଏହି ମହାମାରୀକୁ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ନିଗମର ସିଏସଆର ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏନେଇ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କୃଷି ଶିଳ୍ପ ନିଗମ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଛୋଟିଆ ସହଯୋଗ କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କୁ କିଛି କାମରେ ଆସିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩୦, ୨୦୨୦ରେ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ନିଗମ ଅଧ୍ୟକ୍ଷ ଶ୍ରୀ ମହାନ୍ତି ମଧ୍ୟ ନିଜ ଦରମାରୁ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ। ନିଗମର ଏହି ମହତ କାର୍ଯ୍ୟ ନିମନ୍ତେ ଅଧ୍ୟକ୍ଷ ଶ୍ରୀ ମହାନ୍ତି ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର