ଗାଁରେ ପଶିବାକୁ ଦିଆଯିବ ନାହିଁ: ବିବୋଲ ଟପ୍ପୋ

 ଲୋକେ ଜମି ଦେବାକୁ ରାଜି ନଥିବାବେଳେ ଜନଶୁଣାଣି କାହିଁକି! ବିରୋଧ ପାଇଁ ଲୋକେ ପ୍ରସ୍ତୁତ

ସୁନ୍ଦରଗଡ଼: ଓସିଏଲ୍‌ର ଲାଞ୍ଜିବେର୍ଣ୍ଣା ଚୂନପଥର ଖଣି ପାଇଁ ଆବଶ୍ୟକ ଜମି ଓ ଘରବାଡ଼ି ଅଧିଗ୍ରହଣ ପାଇଁ ଏଇ ୩ ଓ ୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଜନଶୁଣାଣି ଅନିଶ୍ଚିତତା ଭିତରେ ରହିଛି। ଏହାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରୁଥିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହା ପରେ ମଧ୍ୟ ପ୍ରଶାସନ ଜନଶୁଣାଣି କରିବାକୁ ଚେଷ୍ଟାକଲେ ତାହାକୁ ପ୍ରବଳ ବିରୋଧ କରିବାଲାଗି ସ୍ଥାନୀୟ ଲୋକେ ପ୍ରସ୍ତୁତ ରହିଥିବା ଖବର ମିଳିଛି। ଜନଶୁଣାଣି ପାଇଁ ପ୍ରଶାସନ ଓ କମ୍ପାନିର ଲୋକଙ୍କୁ ଗାଁରେ ପଶିବାକୁ ଦିଆ ଯିବନାହିଁ ବୋଲି ପ୍ରଭାବିତଙ୍କ ନେତା ବିବୋଲ ଟପ୍ପୋ କହିଛନ୍ତି।

ଜନଶୁଣାଣିକୁ ବିରୋଧ କରୁଥିବା ଲୋକଙ୍କ ଅଭିଯୋଗ ଯେ ପ୍ରଥମେ କମ୍ପାନି ପକ୍ଷରୁ ଗାଁଲୋକଙ୍କୁ ଅଧିକ କ୍ଷତିପୂରଣ, ଥଇଥାନ, ନିଯୁକ୍ତିର ଲୋଭ ଦେଖାଇ ପ୍ରଭାବିତ କରିବାକୁ ଉଦ୍ୟମ ହୋଇଥିଲା। ଏପରିକି ଗାଁରେ ବିଭାଜନ ପାଇଁ ଚେଷ୍ଟା କରିଥିଲା କମ୍ପାନି। ଏହାପରେ କମ୍ପାନି ସମର୍ଥନରେ ପ୍ରଶାସନ ଜନଶୁଣାଣି ହୋଇଥିବାର ଜାଲ୍ ରିପୋର୍ଟ ପ୍ରସ୍ତୁତ କରିଥିଲା ବୋଲି ମଧ୍ୟ ପ୍ରଭାବିତ ଲୋକେ ଅଭିଯୋଗ କରୁଛନ୍ତି। ଖଣି ପାଇଁ ପ୍ରସ୍ତୁତ ସାମାଜିକ ପ୍ରଭାବ ଆକଳନ (ଏସ୍‌ଆଇଏ) ରିପୋର୍ଟ ଉପରେ ୨୦୨୧ ଅଗଷ୍ଟ ୨୧ ସକାଳ ୧୦ଟାରେ କେଶ୍ରାମାଲ ପଞ୍ଚାୟତରେ ପ୍ରଶାସନ ଜନଶୁଣାଣି କରିଥିବା ଦର୍ଶାଇ ସଭାରେ ଉପସ୍ଥିତ ନଥିବା ଲାଞ୍ଜିବେର୍ଣ୍ଣା ରମାବାହାଲ ଗାଁର କରନେଲିଉସ ଲାକ୍ରା, ଦିବ୍ୟା ଲାକ୍ରା, ମୁକ୍ତା ଡୁଙ୍ଗଡୁଙ୍ଗ, ବିଜୟ ଡୁଙ୍ଗଡୁଙ୍ଗ, ଅମ୍ରିତ ଲାକ୍ରା, ଅଜିତ ମିଞ୍ଜ, ଅନିଲ କୁଜୁର ଓ କେଶରାମାଲ ବାରକାଟୋଲିର ସୁବାସ କୁଜୁରଙ୍କ ସମେତ ଅନେକ ଲୋକଙ୍କ ଜାଲ୍ ଦସ୍ତଖତ  କରି ନେଇଥିବା  ଲୋକେ ଅଭିଯୋଗ କରୁଛନ୍ତି। ହୋଇଥିଲା।

ଏହା ମଧ୍ୟରେ ଜାଲ୍‌ ଦସ୍ତଖତରେ ମିଛ ରିପୋର୍ଟ ପ୍ରସ୍ତୁତ କରିଥିବା ଅଧିକାରୀମାନଙ୍କ ବିରୋଧରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ନିର୍ଯାତନା ନିବାରଣ ଆଇନରେ ମାମଲା ରୁଜୁହୋଇଛି। ସବୁଥିରେ ବିଫଳ ହେବା ପରେ ଜୋର୍ କରି ଜନଶୁଣାଣି କରିନେବାକୁ ଉଭୟ କମ୍ପାନି ଓ ପ୍ରଶାସନ ପ୍ରସ୍ତୁତି ଚଲାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏହାର କଡ଼ା ବିରୋଧ କରାଯିବ ବୋଲି ପ୍ରଭାବିତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଖଣି ପାଇଁ କୁକୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁକୁଡ଼ା (ଜଲୋଡିହି), ଅଲଣ୍ଡା ପଞ୍ଚାୟତର ଅଲଣ୍ଡା (ରେଙ୍ଗାଲବାହାଲ) ଓ କେଶ୍ରାମାଲ ପଞ୍ଚାୟତର କେଶ୍ରାମାଲ (କୁଞ୍ଚୁପଡ଼ା)ର ଘରବାଡ଼ି ଅଧିଗ୍ରହଣ ବାବଦକୁ ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି-୨୦୦୬ ଅନୁଯାୟୀ କ୍ଷତିପୂରଣ, ଥଇଥାନ ପ୍ରଦାନ ସମ୍ପର୍କରେ ହେବାକୁ ଥିବା ଜନଶୁଣାଣିକୁ କୌଣସିମତେ କରାଇ ନଦେବାକୁ ଫୋରମ୍‌ ଫର୍ ଗ୍ରାମସଭା କମିଟି ଶପଥ କରିଛି। ଜଲୋଡିହି, ରେଙ୍ଗାଲବାହାଲ ଓ କୁଞ୍ଚୁପଡାରେ ପ୍ରଶାସନ ଓ କମ୍ପାନିକୁ ପଶିବାକୁ ଦିଆଯିବ ନାହିଁ ବୋଲି ଫୋରମ୍‌ ଫର୍ ଗ୍ରାମସଭା କମିଟିର ନେତା ବିବୋଲ ଟପ୍ପୋ ପ୍ରକାଶ କରିଛନ୍ତି। ‘ଜୀବନ ଦେବୁ ପଛେ, ଓସିଏଲ୍‌କୁ ଜମି ଦେବୁନାହିଁ’ ବୋଲି ଗାଁ ଲୋକେ ପଣ କରି କମ୍ପାନି ବିରୋଧରେ ଏକାଠି ହୋଇଥିବାରୁ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟିହୋଇଛି।

ସୂଚନାଯୋଗ୍ୟ, ଓସିଏଲ୍‌ର ଚୂନପଥର ଖଣି ପାଇଁ କୁକୁଡ଼ା ପଞ୍ଚାୟତର କୁକୁଡ଼ା ମୌଜାରେ ପ୍ରଥମ ପର୍ଯ୍ୟାୟରେ ୨୭୩.୫୭ ଏକର, ଦ୍ବିତୀୟ ପର୍ଯ୍ୟାୟରେ  ୧୬୨.୯୬ ଏକର ଓ  ବିହାବନ୍ଧରେ ପ୍ରଥମ ପର୍ଯ୍ୟାୟରେ ୯.୨୨ ଏକର, ଦ୍ବିତୀୟ ପର୍ଯ୍ୟାୟରେ ୨୯.୭୯ ଏକର, ଅଲଣ୍ଡାରେ ୧୬୪.୮୨ ଏକର, କେଶରାମାଲରେ ୨୯୩.୨୫ ଏକର, ରାଏବେର୍ଣ୍ଣା ମୌଜାରେ ୫୭.୮୦ ଏକର,  ଝଗରପୁରରେ ୮.୪୮ ଏକର, ଖଟଙ୍ଗରେ ୨୭.୫୧ ଏକର ରୟତି ଜମି ସହ  ନଦୀତଟ, ଗୋଚର, ଅନାବାଦି,  ଦେବସ୍ଥଳୀ, ମଶାଣି ପରି ୧୫୦ ଏକର ସରକାରୀ ଜମି ଓ ଘରବାଡ଼ି  ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଏହାକୁ ଲୋକେ ତୀବ୍ର ବିରୋଧ କରୁଛନ୍ତି। ପ୍ରଭାବିତ ଗାଁଗୁଡିକରେ ଲୋକେ କମ୍ପାନିକୁ ଜମିଦେବା ସପକ୍ଷରେ ନଥିବାବେଳେ, ସହମତିର କୌଣସି ବାଟ କାଢ଼ିବାଲାଗି ଉଦ୍ୟମ ନକରି ବଳପ୍ରୟୋଗ କରି କିପରି ଜନଶୁଣାଣି କରା ଯାଉଛି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର