ନକ୍ସଲକୁ କରୋନା ସଂକ୍ରମଣ କରନାହିଁ, କରୋନା ବିପତ୍ତି ହଟିବା ପର୍ଯନ୍ତ ଅସ୍ତ୍ରବିରତି କରୁଛୁ

ମାଓନେତା କୈଳାଶମ ସହ ସମ୍ବାଦ ପ୍ରତିନିଧିଙ୍କ ସିଧାକଥା

ମାଲକାନଗିରି (ପ୍ରେମେନ୍ଦ୍ର ପରିଛା): ବର୍ତ୍ତମାନ ସାରା ଭାରାତ ଓ ଓଡିଶାରେ କରୋନା ଭାଇରାସ ରୋଗୀ ଚିହ୍ନଟ ହେବା ପରେ ସରକାର ଏହାକୁ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ମାଲକାନଗିରି ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ବହୁ ପଦକ୍ଷେପ ଗ୍ରହଣ କରିଛି। ସମଗ୍ର ଜିଲ୍ଲାକୁ ଲକ୍ ଡାଉନ କରିବା ସହ ଲୋକଙ୍କୁ ଭିଡ ନକରିବା ପାଇଁ ତାଗିଦ କରୁଛି।ଏସବୁ ଭିତରେ ମାଲକାନଗିରି ବିଛିନ୍ନାଞ୍ଚଳରେ ମଧ୍ୟ ମାଓବାଦୀ ସଂଗଠନ ପକ୍ଷରୁ ଲୋକଙ୍କୁ କରୋନା ଭାଇରାସ ନେଇ ସଚେତନତା କରାଯାଉଥିବା କଥା ସମ୍ବାଦକୁ ସାକ୍ଷାତ କରି ଆନ୍ଧ୍ର ଓଡିଶା ବଡର ଡିଭିଜନର ପ୍ରବକ୍ତା ମାଓନେତା କୈଳାଶମ୍ ନିଜ ମତ ରଖିଛନ୍ତି।

ଗତ କିଛି ଦିନ ତଳେ ମାଲକାନଗିରିର ବିଭିନ୍ନ ଅଂଚଳରେ ପୋଷ୍ଟର ମରାଯାଇ ନକ୍ସଲଙ୍କୁ କରୋନା ହୋଇଥିବା ନେଇ ସୂଚନା ପ୍ରଦାନ କରାଗଲା।ନକ୍ସଲକୁ ଗାଁରେ ପଶାଇ ନଦେବା ପାଇଁ କୁହାଯାଇଥିଲା। ଏହାର ଜବାବରେ କୈଳାଶମ୍ କହିଥିଲେ ଯେ କୌଣସି ନକ୍ସଲଙ୍କୁ କରୋନା ଭାଇରାସ ଆକ୍ରାନ୍ତ କରିନାହିଁ। ଆମେ ସତର୍କ ରହିଛୁ। ଆମେ ସରକାରଙ୍କର ସମସ୍ତ ନିୟମକୁ ମାନୁଛୁ ଏବଂ ଲୋକଙ୍କୁ ମଧ୍ୟ ସରକାର ଏବଂ ଆମେ ଯାହା କହୁଛୁ ତାକୁ ମାନିବାକୁ କହୁଛୁ।ସରକାରଙ୍କ ତରଫରୁ ଲୋକମାନଙ୍କୁ ମିଳୁଥିବା ଚାଉଳ କମ୍ ହୋଇଯାଉଛି। ମାଓ ସଂଗଠନ ପକ୍ଷରୁ ଦାବି କରାଯାଉଛି ଯେ ଆହୁରି ଅଧିକା ଚାଉଳ ପ୍ରଦାନ କରାଯାଉ। କରୋନା ଭାଇରାସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତି ଆମର ସମବେଦନା ରହିଛି।

ଏବେ ସାରା ଜିଲ୍ଲାରେ ଲକ୍ ଡାଉନ ହୋଇଛି ଆପଣମାନେ ରାସନ କେଉଁଠାରୁ ପାଉଛନ୍ତି ବୋଲି ପ୍ରଶ୍ନ ପଚରାଯିବାରୁ କୈଳାଶମ୍ କହିଥିଲେ ଯେ ସେମାନେ ଲୋକେ ଯାହା ଖାଉଛନ୍ତି ଆମେ ବି ସେୟା ଖାଉଛୁ।ଯେଉଁ ଲୋକଙ୍କ ପାଖରେ ଅଧିକା ଧାନ ,ମାଣ୍ଡିଆ ରହିଛି ସେମାନଙ୍କ ଠାରୁ ଆମେ ସହଯୋଗ ନେଉଛୁ ବୋଲି କହିଥିଲେ। ସେଥିରୁ ଆମେ ଲୋକଙ୍କୁ ବାଣ୍ଟୁଛୁ ଏବଂ ଆମେ ବି ଚଳୁଛୁ। ଆମେ କରୋନା ବିପତ୍ତି ଟଳିବା ପର୍ଯ୍ୟନ୍ତ ଅସ୍ତ୍ରବିରତି କରୁଛୁ। କରୋନା ସମୟରେ ଆମେ କୌଣସି ପୋଲିସ ଇନଫର୍ମର କିମ୍ବା ପୋଲିସ, ବିଏସଏଫ ଉପରେ ଆକ୍ରମଣ କରିବୁ ନାହିଁ।ଏପରିକି ଯଦି ପୋଲିସ ଏବଂ ବିଏସଏଫ କୁମ୍ବିଂ କଲେ ମଧ୍ୟ ଆମେ ତାଂକୁ ପ୍ରତି ଆକ୍ରମଣ କରିବୁ ନାହିଁ। କିନ୍ତୁ କରୋନା ବିପତ୍ତି ଟଳିବା ପରେ ହିଁ ଆମେ ଯାହା କରିବା କଥା ତାହା କରିବୁ।ପାର୍ଟିର ବହୁ ସଦସ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରି ସଂଗଠନରେ ନିର୍ଯାତନା ଦିଆଯାଉଥିବା ନେଇ ପ୍ରଶ୍ନ କରିବାରୁ ସେ ଆମକୁ ଏହି ମିଥ୍ୟା ବୋଲି କହିଥିଲେ।ପାର୍ଟିରେ କେବେ ମଧ୍ୟ ନିର୍ଯାତନା ଦିଆଯାଉନାହିଁ।

ମହିଳାଙ୍କୁ ଶାରିରୀକ ଏବଂ ମାନିସିକ ନିର୍ଯାତନା ଦିଆଯାଉଛି କି ବୋଲି ପଚରାଯିବାରୁ ସେ ଏହାକୁ ମଧ୍ୟ ଅସ୍ବୀକାର କରିଥିଲେ। ମହିଳାଙ୍କୁ ଆମେ ସମ୍ମାନ କରୁଛୁ। କେବେ ମଧ୍ୟ ମହିଳାଙ୍କ ପ୍ରତି ସଂଗଠନରେ ଅସମ୍ମାନର ପ୍ରଶ୍ନ ନାହିଁ। ପୋଲିସ ଏଭଳି ମିଥ୍ୟା ଅପପ୍ରଚାର କରି ବିଭ୍ରାନ୍ତ ସୃଷ୍ଟି କରୁଛି। ଚାହିଁଲେ କ୍ୟାଡର ନକ୍ସଲମାନଙ୍କୁ ପଚାରି ବୁଝନ୍ତୁ। ପାର୍ଟିରେ କେହି ଆସିବା ପରେ ଦୀର୍ଘ ବର୍ଷ ରହି ବୁଲି ବୁଲି ଅସହ୍ୟ ହେବା ପରେ ଘରକୁ ଚାଲିଯାନ୍ତି। ଏହା ହିଁ କଷ୍ଟ।ଟଂକା ଲାଳସାରେ ପୋଲିସ ନିକଟରେ ଆତ୍ମସମର୍ପଣ ପୋଲିସର ଇନଫର୍ମର ବନୁଛନ୍ତି। ପାର୍ଟିର କ୍ୟାଡର ନକ୍ସଲମାନଙ୍କୁ ଜବରଦସ୍ତ ନସବନ୍ଦୀ କରାଯାଉଛି କଣ କହିବେ। ଏହାର ଉତ୍ତରରେ ସେ କହିଥିଲେ ଯେ ପାର୍ଟିରେ ରହିବାକୁ ହେଲେ ବନ୍ଧୁକ ଧରିବାକୁ ପଡିବ,ଯୁଦ୍ଧ କରିବାକୁ ପଡିବ ଏବଂ କାନ୍ଧରେ ବହୁ ଜିନିଷ ବୋହିବାକୁ ପଡିବ।ତେଣୁ ପାର୍ଟି ନକ୍ସଲମାନଙ୍କୁ ପଚାରିକରି ହିଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥାଏ।

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଛିନ୍ନାଞ୍ଚଳର ବିକାଶ ହେଲା ନାହିଁ। ଗୁରୁପ୍ରିୟା ସେତୁ ହେବା ପରେ ବିଛିନ୍ନାଞ୍ଚଳର କୌଣସି ଉନ୍ନତି ହୋଇନାହିଁ।କେବଳ ରାସ୍ତା କରି ସରକାର ଏଠାରୁ ଖଣି ଲୁଟ କରିବା ପାଇଁ ଯୋଜନା କରିଛନ୍ତି। ଏଥିସହ ଏଠାରେ ବିଏସଏଫ କ୍ୟାମ୍ପ ଏବଂ ପୋଲିସ ଥାନା ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଛନ୍ତି।ଆମେ କେବେ ମଧ୍ୟ ରାସ୍ତାକୁ ବିରୋଧ କରିନାହୁଁ।ପକ୍କା ରାସ୍ତା ହେଉ କିନ୍ତୁ ଯେତିକି ଦରକାର ସେତିକି ହେଉ।ଲୋକମାନେ ମଧ୍ୟ ସରକାରଙ୍କ ସହ ମିଶି ରାସ୍ତା ତିଆରି କରୁଛନ୍ତି,ଆମେ ଏହାକୁ ସମର୍ଥନ କରୁଛୁ। ଗୁରୁପ୍ରିୟା ସେତୁ ହେଲେ ବିଛିନ୍ନାଞ୍ଚଳର ସବୁ ବିକାଶ ହେବ। ଆଜି ଏଠାରେ ଲୋକେ ପିଇବା ପାଣି ପାଇପାରୁନାହାନ୍ତି,ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ,ଶିକ୍ଷା କଥା ନକହିବା ଭଲ ବୋଲି କହିଥିଲେ।ବାଲିମେଳା ଡ୍ୟାମର ପାଣି ଯୋଗୁଁ ଏହି ଅଂଚଳର ଚାଷୀଙ୍କର ବହୁ କ୍ଷତି ହେଲା କିନ୍ତୁ ସରକାର ଏହାକୁ ଦେଖିଲେ ନାହିଁ।ତିନି ଗାଁର ଲୋକ ନକ୍ସଲକୁ ବିରୋଧ କଲେ କଣ କହିବେ। ଏହାର ଉତ୍ତରରେ ସେ କହିଥିଲେ ଯେ ସେହି ତିନି ଗ୍ରାମର ଲୋକେ ପୋଲିସ ସହ ମିଶି ଆମକୁ ବିରୋଧ କରୁଛନ୍ତି କିନ୍ତୁ ବିଛିନ୍ନାଞ୍ଚଳରେ ସବୁ ଗ୍ରାମ ଆମକୁ ସମର୍ଥନ କରୁଛନ୍ତି।

ଆମେ ଲୋକଙ୍କ ପାଇଁ ଲଢେଇ କରୁଛୁ। ପାର୍ଟିରେ ତେଲୁଗୁ କ୍ୟାଡର ମାନଙ୍କର ଦବଦବା ରହିଛି କି। ଏହାର ଉତ୍ତରରେ ସେ କହିଥିଲେ ଏହା ମିଥ୍ୟା।ସବୁ ଅଂଚଳର ନକ୍ସଲଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯାଇଥାଏ।ପ୍ରତି ମାସରେ ପାର୍ଟିର ବୈଠକ ହୋଇଥାଏ। ଏଠାରେ ହିଁ ଯାହା ନିଷ୍ପତ୍ତି ନିଆଯାଇଥାଏ। କରୋନା ଭାଇରାସକୁ ନେଇ ଲୋକଙ୍କୁ ଏବଂ ସରକାରଙ୍କୁ କଣ କହିବେ।ଏହାର ଜବାବରେ ସେ ଏହି ବିପତ୍ତିକୁ ଟାଳିବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡିବ।ସମସ୍ତେ ଲକ୍ ଡାଉନରେ ରହିବା ସହ ହାତ ଧୋଇବା,ଦୂରତା ମାନିବା ଭଳି କାମ କଲେ ଏହି ରୋଗ ଠାରୁ ଦୁରରେ ରହିପାରିବା ବୋଲି କହିଥିଲେ।

 

ସମ୍ବନ୍ଧିତ ଖବର