କାର୍ଯ୍ୟକ୍ଷମ ହେଉନି ଧାମରା ମତ୍ସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର

ଖତ ଖାଉଛି କୋଟି କୋଟି ଟଙ୍କାର କୋଠା

ଧାମରା: କାଯ୍ୟର୍ ଆରମ୍ଭ ପୁର୍ବରୁ ଉଦ୍ଦେଶ୍ୟ ଥିଲା ମହତ୍‌। କିନ୍ତୁ କାଯ୍ୟର୍ ସମ୍ପୂର୍ଣ୍ଣ ପରେ ବଦଳିଗଲା ଏହାର ରୂପରେଖ। ଏହା ପ୍ରମାଣ ମିଳିଛି ଧାମରା ମତ୍ସ୍ୟ ପୋତାଶ୍ରୟ ମଧ୍ୟରେ ଥିବା ମତ୍ସ୍ୟ ପ୍ରାକ୍‌ ପ୍ରକ୍ରିୟାକରଣ କେନ୍ଦ୍ର କ୍ଷେତ୍ରରେ। ଧାମରା ମାଛ ଧରା ବନ୍ଦରର ମତ୍ସ୍ୟ ଉପ୍ତାଦନ ଚାହିଦାକୁ ଲକ୍ଷ୍ୟ ରଖି ବିଶ୍ୱ ବ୍ୟାଙ୍କ ଯୋଗାଇ ଦେଇଥିଲା ସହାୟତା। ଏହି ବନ୍ଦରକୁ ଅର୍ନ୍ତଜାତୀୟସ୍ତରୀୟ କରିବା ପାଇଁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ୨୦୧୨ ମସିହା ସେପ୍ତମ୍ବର ମାସରେ ୪କୋଟି ୭୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା। ୨୦୧୩ ମସିହା ଏପ୍ରିଲ ୨୦ ତାରିଖ ଦିନ ୪ ହଜାର ବର୍ଗଫୁଟ୍‌ ସ୍ଥାନରେ ଶିଳାନ୍ୟାସ ମଧ୍ୟ କରାଯାଇଥିଲା। ଶିଳାନ୍ୟାସ ଉତ୍ସବରେ ଓଡିଶା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ପି. କ୍ରିଷ୍ଣମୋହନ ଓ ଚାନ୍ଦବାଲିର ପୁର୍ବତନ ବିଧାୟକ ବିଜୟ ନାୟକ ଯୋଗ ଦେଇଥିଲେ। ଏହି ପ୍ରକ୍ରିୟାକରଣ କେନ୍ଦ୍ର ନିର୍ମିତ ହେଲେ ଧାମରାରୁ ମତ୍ସ୍ୟ ସମ୍ପଦ ସିଧାସଳଖ ବିଦେଶକୁ ରପ୍ତାନି ହେବ, ମତ୍ସ୍ୟଚାଷୀ ଓ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ଲାଭବାନ ହେବା ସହ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ ବୋଲି ମତ୍ସ୍ୟ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଖାଲି ମତ୍ସ୍ୟ ପ୍ରାକ୍‌ ପ୍ରକ୍ରିୟାକରଣ କେନ୍ଦ୍ର ନୁହେଁ ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ପାରିପାର୍ଶ୍ୱକ ପରିସ୍ଥିତିକୁ ଲକ୍ଷ୍ୟ ରଖି ବିଶ୍ୱ ବ୍ୟାଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅନୁଦାନ ଦେଇ ଓ୍ୟାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, କନ୍‌ଫରେନ୍ସ ହଲ,ରେଷ୍ଟୁରାଣ୍ଟ, ଫିସରମ୍ୟାନ ରେଷ୍ଟ ସେଡ୍‌, ଫିସରମ୍ୟାନ୍‌ ଗିୟର ସେଡ୍‌, କ୍ୟାରେଟ ଓ୍ୟାସ୍‌,ଟଏଲେଟ୍‌ କମ୍ପ୍ଲେକ୍‌ସ, ଆକ୍‌ସନ ହଲ, କମ୍ୟୁନିଟି ଟଏଲେଟ୍‌, ରେଡିଓ କମ୍ୟୁନିକେସନ ଟାଓ୍ୟାର ଆଦି ନିର୍ମାଣ ହୋଇଥିଲା। ଏହି ପ୍ରକ୍ରିୟା କେନ୍ଦ୍ରର ନିର୍ମାଣ ପାଇଁ ମତ୍ସ୍ୟଜିବୀ ସଂଘ ଓ ପରିଚାଳନା ସମିତି ମଧ୍ୟରେ ମୂଳରୁ ବିବାଦ ଦେଖାଯାଇଥିଲେ ମଧ୍ୟ ବହୁ ବାଦ ବିବାଦ ପରେ ସମାଧାନର ବାଟ ଫିଟିଥିଲା। ୨୦୧୩ ମସିହା ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହୋଇଥିବା କାମ ୨୦୧୬ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ନ ହେବା ନେଇ ନାନା ଗୁଜବ ଶୁଣିବାକୁ ମିଳୁଛି। ତେବେ ୨୦୧୫ ନଭେମ୍ବର ୨୬ ତାରିଖ ଦିନ ଏହି ମତ୍ସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଧାମରା ଆସିଥିଲେ। ଏହି ପ୍ରତିନିଧି ଦଳରେ ଓଡିଶା ମତ୍ସ୍ୟ ନିର୍ଦ୍ଦେଶକ ପି. କ୍ରିଷ୍ଣମୋହନଙ୍କ ସହିତ ବହୁ ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ। ତେବେ ସେହି ବର୍ଷ ଡିସେମ୍ବର ୧ ତାରିଖ ଦିନ ଏକ୍ସପୋର୍ଟ ଆସୋସିଏସନ କ୍ଲିନ୍‌ ଚିଟ୍‌ ଦେବା ପରେ ଠିକାଦାର ଡିସେମ୍ବର ୯ ତାରିଖ ଦିନ ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ ମେନେଜମେଂଟ ସୋସାଇଟିକୁ ହସ୍ତାନ୍ତର କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ପରେ ୯ଟି ଏକ୍ସପୋର୍ଟ କମ୍ପାନୀ ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ ଭଡ଼ାସୂତ୍ରରେ ନେଇ କାର୍ଯ୍ୟକ୍ଷମ କରିବେ ବୋଲି ଚୁକ୍ତିପତ୍ର ହୋଇଥିଲା। ଓ୍ୟାଟର ଟ୍ରିଟମେଂଟ ପ୍ଲାଣ୍ଟ ପାଇଁ ବନାଯାଇଥିବା କୋଠା ଗେଟ୍‌ରେ ରହୁଥିବା ସିକ୍ୟୁରିଟି, ଫିସରମ୍ୟାନ ରେଷ୍ଟ ସେଡ୍‌କୁ ଭଡ଼ାସୂତ୍ରରେ ଜାଲ ବେପାରୀଙ୍କୁ ଦେବା ନେଇ ଏହି ଆର୍ନ୍ତଜାତୀୟ ମତ୍ସ୍ୟ ପୋତାଶ୍ରୟର ଭାଗ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଯେଉଁ ୯ଟି ଏକ୍ସପୋର୍ଟ କମ୍ପାନୀ ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ ଭଡାସୂତ୍ରରେ ନେଇଥିଲେ ତାହା ଆଜି ପଯ୍ୟର୍ନ୍ତ କାର୍ଯ୍ୟକ୍ଷମ ନ ହେବାରୁ ଧୀରେଧୀରେ ଏହି କୋଠା ତାର ଚମକ ହରାଇବାରେ ଲାଗିଛି। ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଏହି ମତ୍ସ୍ୟ ପୋତାଶ୍ରୟର ବିଭିନ୍ନ ବିଭାଗ ଏବେ ବୁଲାକୁକୁରଙ୍କ ଆଶ୍ରୟସ୍ଥଳ ପାଲଟିଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କ ବିହାସ୍ଥଳୀ ପାଲଟିଛି। ତେବେ ଏହି ପ୍ରକ୍ରିୟାକରଣ କେନ୍ଦ୍ର ଓ ଅନ୍ୟ ବିଭାଗଗୁଡିକ କେବେ କାଯ୍ୟର୍କ୍ଷମ ହେବ ବୋଲି ପ୍ରଶ୍ନରେ ଉତ୍ତର ଦେଇ ବିଭାଗୀୟ ଏସ୍‌ଡିଓ ଲକ୍ଷ୍ମଣ ମିଶ୍ର କୁହନ୍ତି ଆମ ପକ୍ଷରୁ ସମସ୍ତ କାଯ୍ୟର୍ ସମ୍ପାଦନ କରି ଏକ୍ସପୋର୍ଟ କମ୍ପାନୀମାନଙ୍କୁ ହସ୍ତାନ୍ତର କରିସାରିଛୁ। ବିଭାଗୀୟ ମନ୍ତ୍ରୀ ସମୟ ଦେଲେ ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ ଉଦ୍ଘାଟନ କରାଯିବ। ଉଦ୍‌ଘାଟନ ପରେ ଏହି ପ୍ରକ୍ରିୟାକରଣ କେନ୍ଦ୍ର କାଯ୍ୟର୍କ୍ଷମ ହେଲେ ଅନ୍ୟ ପାରିପାର୍ଶ୍ୱକ ପରିସ୍ଥିତିର ସମାଧାନ ଖୁବ୍‌ ଶୀଘ୍ର ହୋଇଯିବ। ତେବେ କେବେ ବିଭାଗୀୟ ମନ୍ତ୍ରୀ ସମୟ ଦେବେ, ସେ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର