ଜମି ବିବାଦରୁ ବଡ଼ମ୍ବା ଡବଲ୍‌ ମର୍ଡର ଘଟଣା; ୪ ମହିଳାଙ୍କ ସମେତ ୫ ଗିରଫ; ବୁଢ଼ାପଙ୍କ ଜନଶୂନ୍ୟ, ଜଗି ରହିଛନ୍ତି ୩ ପ୍ଲାଟୁନ୍ ଫୋର୍ସ

ମାଣିଆବନ୍ଧ: ସରକାରୀ ଜମିକୁ ନେଇ ବୋମା ଓ ଗୁଳିମାଡ ସହିତ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ କୁଆଁରପାଳ ପଞ୍ଚାୟତରେ ଘଟିଥିବା ଏହି ତୁମୁଳକାଣ୍ଡରେ ଗତକାଲି ଭାଗବତପୁର ଗ୍ରାମର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ୧୦ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ବୁଢ଼ାପଙ୍କ ଗ୍ରାମର ୪ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସ୍‌ପି ପି.କେ. ଜେନା, ଆଠଗଡ଼ ଏସ୍‌ଡିପିଓ ଆଲୋକ ରଂଜନ ରାୟ, ବଡ଼ମ୍ବା ଥାନା ଆଇଆଇସି ପ୍ରଭାତ କୁମାର ମଲ୍ଲିକ, କାନପୁର ଥାନା ଆଇଆଇସି ସସ୍ମିତା ରଣା, ତିଗିରିଆ ଥାନାଧିକାରୀ ରବୀନ୍ଦ୍ର ଭୁଜବଳ ପ୍ରମୁଖ ବୁଢ଼ାପଙ୍କ ଓ ଆଖପାଖ ଅଞ୍ଚଳରେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। କିନ୍ତୁ ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ବୁଢ଼ାପଙ୍କ ଗ୍ରାମର ପ୍ରାୟ ଅଧିକାଂଶ ଘରେ ଏବେ ତାଲା ଝୁଲୁଛି।
ଭାଗବତପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ୩ ଏକରରୁ ଅଧିକ ସରକାରୀ ଜମିକୁ ନେଇ ଉଭୟ ଭାଗବତପୁର ଓ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ବିବାଦ ଗତକାଲି ଚରମ ସୀମାରେ ପହଞ୍ଚିଥିଲା।

ଗତକାଲି ବୁଢ଼ାପଙ୍କ ଗ୍ରାମବାସୀ ଉକ୍ତ ଜମିକୁ ନିଜର ବୋଲି କହି ତାହାର ସଫେଇ ଆରମ୍ଭ କରିଥିଲେ। ଭାଗବତପୁର ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ବୁଢ଼ାପଙ୍କ ଗ୍ରାମବାସୀ ବୋମାମାଡ଼ ସହିତ ଗୁଳି ଚାଳନା ଆରମ୍ଭ କରିଥିଲେ। ମାରଣାସ୍ତ୍ରରେ ମଧ୍ୟ ଭାଗବତପୁର ଗ୍ରାମବାସୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଖବର ପାଇ ମାଣିଆବନ୍ଧ ଫାଣ୍ଡି ଅଧିକାରୀ ପ୍ରଭାକର ରାଉତ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ପରିସ୍ଥିତି ଅଣାୟତ ହୋଇପଡ଼ିଥିଲା। ବଡ଼ମ୍ବା ଥାନାଧିକାରୀ ପ୍ରଭାତ କୁମାର ମଲ୍ଲିକ ପୁଲିସ ଫୋର୍ସ ସହ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

Sambad

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୧୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟମାନେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଭାଗବତପୁର ଗ୍ରାମବାସୀ ଦିନ ୧୧ଟାରୁ କଟକ-ନରସିଂହପୁର ମୁଖ୍ୟରାସ୍ତାକୁ ଅଭିମାନପୁର ଛକ ନିକଟରେ ଶବ ରଖି ଅବରୋଧ କରିଥିଲେ।

ମୃତାହତଙ୍କ ପରିବାରକୁ କ୍ଷତିପୂରଣ, ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଖବର ପାଇ ଏସ୍‌ଡିପିଓ ଶ୍ରୀ ରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା, ବଡ଼ମ୍ବା ଥାନାଧିକାରୀ ଶ୍ରୀ ମଲ୍ଲିକଙ୍କ ସମେତ ପ୍ରାଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାତି ୧୦ଟା ପରେ ଗ୍ରାମବାସୀ ରାସ୍ତାରୁ ଉଠିଥିଲେ। ଏହାପରେ ଶବ ସତ୍କାର ପାଇଁ ନିଆଯାଇଥିଲା। ସେହିପରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ାଉ ଆରମ୍ଭ କରିଥିଲେ ମଧ୍ୟ ବୁଢ଼ାପଙ୍କ ଗ୍ରାମ ଜନଶୂନ୍ୟ ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାଇପାରି ନ ଥିଲା। ଆଜି ସକାଳୁ ପୁଲିସ ବୁଢ଼ାପଙ୍କ ଗ୍ରାମର ନିକଟବର୍ତ୍ତୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣ ମହିଳାଙ୍କ ସହ ୫ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର