ଦୁଇଜଣଙ୍କୁ ମାରି ଫିଙ୍ଗି ଦେଲେ ଦୁର୍ବୃତ୍ତ , ପୃଥକ ସ୍ଥାନରୁ ରକ୍ତ ଜୁଡୁବୁଡ଼ୁ ଶବ ଉଦ୍ଧାର

ଯୋଡ଼ା : ଯୋଡ଼ା ଅଞ୍ଚଳରେ ଗତକାଲି ରାତିରେ ଘଟିଯାଇଛି ଦୁଇଟି ଜଘନ୍ୟକାଣ୍ଡ। ଦୁଇଜଣ ବ୍ୟକ୍ତିଙ୍କୁ ଦୁର୍ବୃତ୍ତ ହାଣି ହତ୍ୟା କରିବା ପରେ ପୃଥକପୃଥକ ସ୍ଥାନରେ ଫିଙ୍ଗି ଦେଇଛନ୍ତି। କୁନ୍ଦୁରୁନାଲା ଚର୍ଚ୍ଚ ନିକଟରୁ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ବାଂଶପାଣିରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ଦେହରେ ଗଭୀର କ୍ଷତ ଚିହ୍ନ ରହିଛି। ମହାମାରୀ କରୋନା ସମୟରେ ଏଭଳି ବୀଭତ୍ସ ହତ୍ୟା ଘଟଣା ସମଗ୍ର ଯୋଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

କୁନ୍ଦୁରୁନାଲା ରାସ୍ତାର ଚର୍ଚ୍ଚ ନିକଟରୁ ଉଦ୍ଧାର ହୋଇଥିବା ମୃତଦେହ ହେଉଛି ଜଣେ ଡ୍ରାଇଭରଙ୍କର। ତାଙ୍କ ନାମ ସଞ୍ଜୟ ମହାତ(୪୦)। ଘର ଝାଡ଼ଖଣ୍ଡ ରାଜ୍ୟର ରାଗିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଯୋଡ଼ା ସ୍ବାସ୍ତି ଏଣ୍ଟରପ୍ରାଇଜେସ୍ କୋକାକୋଲା ସଂସ୍ଥାରେ ପ୍ରାୟ ୫ ମାସ ହେବ ଡ୍ରାଇଭର ଭାବରେ କାର୍ୟ୍ୟ କରୁଥିଲେ। ଭଡ଼ାରେ ରହୁଥିବା ଘରର ପଛ ପଟେ ସଂଜୟଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲା। ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ଡାକ୍ତରଖାନାକୁ ପଠାଇଛି। ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପରିବାର ଲୋକେ ଆସିବା ପରେ ଘଟଣା ସଂପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୁଲିସ କହିଛି।

ସେହିପରି ଅନ୍ୟ ଘଟଣାଟି ବାଂଶପାଣି ଅଞ୍ଚଳରେ ଘଟିଛି। ବାଂଶପାଣିର ଏକ ମଦଭାଟି ନିକଟ ପରିତ୍ୟକ୍ତ କୁଣ୍ତ ଭିତରୁ ଭୋଳା ପାତ୍ର (୫୫)ଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସେ ଏକ ଗ୍ୟାରେଜରେ ଘରୋଇ ସୁରକ୍ଷାକର୍ମୀ ଭାବରେ କାର୍ୟ୍ୟ କରୁଥିଲେ। ଭୋଳାଙ୍କ ସହିତ ତାଙ୍କର ପୁଅବୋହୂ ସବୁବେଳେ ଝଗଡ଼ା ଲଗାଉଥିଲେ। ପାରିବାରିକ କଳହ କାରଣରୁ ପୁଅବୋହୂ ମିଶି ଭୋଳାଙ୍କୁ ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଯୋଡ଼ା ପୁଲିସ ୮୪/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୁଅକୁ ଅଟକ ରଖି ଘଟଣାର ଖୋଳତାଳ ଆରମ୍ଭ କରିଛି।

ଯୋଡ଼ା ଥାନା ଅଧିକାରୀ ପଦ୍ମାଳୟା ସାହୁ, ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରା ଏବଂ କେନ୍ଦୁଝରରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର