ଯାଜପୁର: ବର୍ଷା ନାହିଁ, ଗଜା ମରୁଡ଼ି ଆଶଙ୍କା

ବିଂଝାରପୁର,: ଆଷାଢ଼ ମାସର ପ୍ରଥମ ସପ୍ତାହ ବିତିଥିଲେ ମଧ୍ୟ ମୌସୁମୀର ଦେଖାନାହିଁ। ପ୍ରଚଣ୍ଡ ଖରାରେ ବିଲରେ ଧାନ ଗଜା ଜଳିଯାଇଛି। ଗଜା ମରୁଡ଼ି ପରିସ୍ଥିତିରେ ଅଧିକାଂଶ ଜମିରେ ଆଉ ଧାନଚାଷ ହୋଇପାରିବନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଏହାକୁ ନେଇ ବିଂଝାରପୁର ଅଞ୍ଚଳର ଚାଷୀ ଚିନ୍ତାରେ ପଡ଼ିଛନ୍ତି। ପ୍ରକାଶ ଯେ, ବିଂଝାରପୁର ବ୍ଲକ୍‌ରେ ବର୍ଷା ଅଭାବ ଯୋଗୁଁ ଖରିଫ ଧାନଚାଷ ହୋଇପାରୁନି। ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀମାନେ ନିଜନିଜ ଜମିରେ ଚାଷ ଆରମ୍ଭ କରିଥିଲେ। ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ କରିଥିଲେ।

ହେଲେ ଅକ୍ଷୟ ତୃତୀୟା ପୂର୍ବରୁ ବିଂଝାରପୁର ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ବର୍ଷା ହୋଇନଥିଲା। ବୁଣାବୁଣି ସରିବା ପରେ କାଳବୈଶାଖୀ ବର୍ଷାରେ ଗଜାହୋଇ ଦୁଇ ପତରିଆ ଧାନଗଛ ହୋଇଥିଲା। ଆଷାଢ଼ ମାସରେ ବର୍ଷା ନାହିଁ। ପ୍ରବଳ ଖରା ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଲରେ ଉଠିଥିବା ଧାନଗଜା ଓ ଧାନଗଛ ପୋଡ଼ିଯାଇଛି। ଏପରି ସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଚାଷୀ ପାଖରେ ଆଉ ବିହନ ନାହିଁ କି ସମ୍ବଳ ମଧ୍ୟ ନାହିଁ। ଅନ୍ୟପକ୍ଷରେ ବିଂଝାରପୁର ବ୍ଲକ୍‌ର ଅଧିକାଂଶ ଅଞ୍ଚଳରେ ରୁଆଧାନ ସଫଳ ହେଉନାହିଁ। କାରଣ ବ୍ଲକ୍‌ର ଅର୍ଦ୍ଧାଧିକ ଜମି ଖାଲୁଆ ହୋଇଥିବାରୁ ଚାଷୀମାନେ ଜ୍ୟେଷ୍ଠ ମାସରେ ଧାନବୁଣି ବେଉଷଣ କରିଥାଆନ୍ତି। ମୌସୁମୀ ଜନିତ ବର୍ଷା ହେଲେ ଖାଲୁଆ ଅଞ୍ଚଳରେ ପାଣି ଜମିଯାଏ। ଖାଲୁଆ ଜମିରେ ଧାନ ରୁଆପୋତା ହୋଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର