ନୟାଗଡ଼/ଭୁବନେଶ୍ୱର: ଇଟାମାଟି ଥାନା ଅନ୍ତର୍ଗତ ଘଡୁଆଲ ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ବାଇକ୍କୁ ଦ୍ରୁତଗାମୀ ଟ୍ରକ ଶକ୍ତ ଧକ୍କା ଦେବାରୁ ଜଣେ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପ ଓ ପୁଅ ଗୁରୁତର ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଲାଠିପଡ଼ା ଗ୍ରାମର ସାଗର ମହାରଣା ନିଜ ୧୦ ବର୍ଷିଅ ପୁଅ ଚିନୁ ଓ ୭ ବର୍ଷୀୟ ଝିଅ ଲକ୍ଷ୍ମୀଙ୍କୁ ନେଇ ବାଇକ ଯୋଗେ ଯାଉଥିଲେ। ଏହି ସମୟରେ ଭଲ ଦିଗରୁ ଏକ ଟ୍ରକ୍ ଆସି ଶକ୍ତ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସାଗର ଓ ଚିନୁଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଉପଲବ୍ଧ କରାଯିବା ପରେ ବାପ-ପୁଅଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଟ୍ରକ ଜବତ କରି ଘଟଣାର ତଦନ୍ତ କରୁଛି।