ଶାଶୂ ଘରେ ପାଦ ଥାପୁ ଥାପୁ ଆରମ୍ଭ ହୋଇଗଲା ଯୌତୁକ ନିର୍ଯାତନା

ବୁଗୁଡ଼ା: ବାପ ଘର ଛାଡ଼ି ଶାଶୂ ଘରେ ପାଦ ଥାପୁ ଥାପୁ ଆରମ୍ଭ ହୋଇଗଲା ଯୌତୁକ ନିର୍ଯାତନା। ଝିଅ ବାପ ଘରକୁ ଫେରି ଆସି ଥାନାରେ ଅଭିଯୋଗ କରିବା ପରେ ଶାଶୂଘର ଲୋକଙ୍କୁ ଏବେ ସମସ୍ତ ଯୌତୁକ ସାମଗ୍ରୀ ଫେରାଇବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ତାକରଡ଼ା ଗ୍ରାମରେ।
ସୂଚନା ଅନୁସାରେ ତାକରଡ଼ାର ଅଭିମନ୍ୟୁ ଡାକୁଆଙ୍କ ପୁଅ ଦିଲ୍ଲୀପ ଗତ ଫେବ୍ରୁଆରି ୧୪ ତାରିଖ ଦିନ ବିଷ୍ଣୁଚକ୍ର ଗ୍ରାମର ସନ୍ତୋଷୀ ଡାକୁଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ କନ୍ୟାଘର ପକ୍ଷରୁ ଯୌତୁକ ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଦିଆ ଯାଇଥିଲା। ଗତ ଶିବରାତ୍ରୀ ଦିନକ ପୂର୍ବରୁ ସନ୍ତୋଷୀଙ୍କ ମାଆ ତାକରଡ଼ା ଯାଇ ଝିଅ ଜାଗର କରିବ କହି ଘରକୁ ଡାକି ଆଣିଥିଲେ। ଏହାର ଦୁଇ ଦିନ ପରେ ଦିଲ୍ଲୀପଙ୍କ ବାପା ବୋହୂକୁ ଡାକିବା ପାଇଁ ବିଷ୍ଣୁଚକ୍ର ଯାଇଥିଲେ ହେଁ ଝିଅ ଘର ଲୋକେ ସନ୍ତୋଷୀଙ୍କୁ ଛାଡ଼ିବାକୁ ମନା କରି ଦେଇଥିଲେ। ମାର୍ଚ୍ଚ ୨୨ ତାରିଖରେ ଶାଶୂଘର ଲୋକେ ବାହାଘର ପରଦିନ ଠାରୁ ସନ୍ତୋଷୀକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ କେସ୍‌ ନଂ ୧୨୮/୨୧ରେ ଏକ ମାମଲା ରୁଜୁ କରି ଝିଅ ଘର ଦାବି ପ୍ରକାରେ ଯୌତୁକ ସାମଗ୍ରୀ ଫେରାଇବା ପାଇଁ ଦିଲ୍ଲୀପଙ୍କୁ କହିଥିଲେ। ପୁଅ ଘର ଏଥିରେ ରାଜି ହୋଇ ଯୌତୁକ ସାମଗ୍ରୀ ଫେରାଇ ଦେବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ବାରମ୍ବାର ନୋଟିସ ସତ୍ତ୍ବେ ଝିଅ ପକ୍ଷ ଯୌତୁକ ସାମଗ୍ରୀ ନେବାକୁ ଆସୁ ନଥିବା ପୁଲିସ କହିଛି l
ସମ୍ବନ୍ଧିତ ଖବର